ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଧଣ୍ଡାତୋପା ରେଞ୍ଜ୍ରେ ଏବେ ଜଙ୍ଗଲଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି। ବନ ବିଭାଗର ଅବହେଳା ଯୋଗୁଁ ଅବାଧରେ ଶତାଧିକ ମୂଲ୍ୟବାନ ଗଛ କାଟି ନିଆଯାଉଥିବା ଅଭିଯୋଗ ହୋଇଛି।
ସାନହୁଲା ପଞ୍ଚାୟତର ଘୋଡାବାନ୍ଧୁଣି ଗ୍ରାମ ଜଙ୍ଗଲରୁ ମଙ୍ଗଳବାର ଦିନ ଠାରୁ ପ୍ରାୟ ୨୦୦ରୁ ଅଧିକ ଗଛ କଟାଯାଇଛି। ୧୯୯୭ ମସିହାରେ ସରକାରଙ୍କ ପକ୍ଷରୁ ଏହି ଜଙ୍ଗଲରେ ୬୭୮୯ଟି ଶାଗୁଆନ, ଶିଶୁ ଓ ଶାଳ ଭଳି ବହୁମୂଲ୍ୟ ଗଛ ଲଗାଯାଇଥିଲା। ଏହି ଗଛଗୁଡ଼ିକ ବଡ଼ ହୋଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ କାଠ ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି।
ଅଭିଯୋଗ ଅନୁଯାୟୀ, କିଛି କାଠ ବ୍ୟବସାୟୀ ଏକ କଟର ମେସିନ୍ ସାହାଯ୍ୟରେ ଗଛ କାଟି ଜଙ୍ଗଲ ସଫା କରି ଚାଲିଛନ୍ତି। ଧଣ୍ଡାତୋପା ବନ ବିଭାଗ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନଥିଲେ ମଧ୍ୟ ଚୋରା କାଠ କଟା ଚାଲିଛି। ବନ ବିଭାଗ ପକ୍ଷରୁ ରାତ୍ରି ପେଟ୍ରୋଲିଂ କରା ନ ଯିବାରୁ ଏଭଳି ଅବାଧ ଗଛ କଟା ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସାନହୁଲା ଅଞ୍ଚଳବାସୀଙ୍କ ପକ୍ଷରୁ ବୁଧବାର ଦିନ ଆଠମଲ୍ଲିକ ଡିଏଫ୍ଓଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ସେମାନେ ତୁରନ୍ତ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଏନେଇ ଧଣ୍ଡାତୋପା ରେଞ୍ଜର ବବ୍ରୁବାହାନ ସାହୁ କହିଛନ୍ତି ଯେ ଘୋଡାବାନ୍ଧୁଣି ଜଙ୍ଗଲରୁ ଗଛ କାଟିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ। ସେ ଗଛ କଟା ସମ୍ପର୍କରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।