ମୁଖ୍ୟ ଖବର

ପ୍ରାଣୀ କଲ୍ୟାଣ ଏବଂ ଅଧିକାର ପାଇଁ ପ୍ରତିବାଦ: ପିପୁଲ ଫର ଆନିମଲସ ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନ

By Angul TV Bureau

August 27, 2024

ଅନୁଗୁଳ: ପ୍ରାଣୀ କଲ୍ୟାଣ ଏବଂ ଅଧିକାର ପାଇଁ ବୈମାତୃକ ମନୋଭାବପୋଷଣ କରାଯାଉଥିବା ପ୍ରତିବାଦରେ ବିଭିନ୍ନ ଦାବି ନେଇ ତାଳଚେରର ପିପୁଲ ଫର ଆନିମଲସ ସଂଗଠନ ପକ୍ଷରୁ ମଙ୍ଗଳବାର ଠାରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଆରମ୍ଭ କରିଛନ୍ତି।

ପିପୁଲ ଫର ଆନିମଲସ ସଂଗଠନ ପକ୍ଷରୁ ତାଳଚେର ଅଞ୍ଚଳର ଅସୁସ୍ଥ ଦୁର୍ଘଟଣାଗ୍ରସ୍ତ ପ୍ରାଣୀଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା କରିବା, ରୋଗାଗ୍ରସ୍ତ ଏବଂ ଦୁର୍ଘଟଣାଗ୍ରସ୍ତ ପ୍ରାଣୀଙ୍କ ନିୟମିତ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା ଥିବା ଆଶ୍ରୟସ୍ଥଳୀ କରିବା, ଦୁର୍ଘଟଣାସ୍ଥଳରୁ ପ୍ରାଣୀକୁ ଉଦ୍ଧାରକରି ଆଶ୍ରୟସ୍ଥଳୀ ପର୍ଯ୍ୟନ୍ତ ଆଣିବା ପାଇଁ ଉପଯୁକ୍ତ ବାହନ ବ୍ୟବସ୍ଥା କରିବା, ଶିଳ୍ପାୟନ ଦ୍ୱାରାବିସ୍ଥାପିତ ହେଉଥିବା ଗୋ ପ୍ରଜାତିଙ୍କ ରକ୍ଷଣା ବେକ୍ଷଣ ପାଇଁ ଗୋଶାଳା ବ୍ୟବସ୍ଥା, ପୌରାଞ୍ଚଳର ଗୃହପାଳିତ ପ୍ରାଣୀଙ୍କ ପଞ୍ଜିକରଣ ଏବଂ କାଞ୍ଜିଆହୁଦାର ବ୍ୟବସ୍ଥା, ପ୍ରାଣୀଙ୍କ ଶବ ସତ୍କାର ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା, ବୁଲା ପ୍ରାଣୀ ପରିଚାଳନା କାର୍ଯ୍ୟକ୍ରମ, ବୁଲା କୁକୁର ବନ୍ଧ୍ୟାକରଣ ଯୋଜନା, ବୁଲା କୁକୁରଙ୍କୁ ଜଳାତଙ୍କ ରୋଗର ପ୍ରତିଷେଧକ, ବଲାଗୋ ପ୍ରଜାତିଙ୍କୁ ଫାଟୁଆ ରୋଗର ପ୍ରତିଷେଧକ ପ୍ରଦାନ ଆଦି ରହିଛି।

ଦାବି ପୂରଣ ନ ହେବା ଯାଏ ଅନଶନ ଜାରି ରହିବ ବୋଲି ପିପୁଲ ଫର ଆନିମଲସ ସଂଗଠନ ସମ୍ପାଦକ କୁନା କୁମାର ସାହୁ ସୂଚନା ଦେଇଛନ୍ତି।