ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ଯୋଗୁଁ ସ୍ଥାନାନ୍ତର ହୋଇଥିବା କଟରଙ୍ଗ ଗାଁ ଲୋକଙ୍କୁ ଠିକ କ୍ଷତିପୂରଣ ମିଳିନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ସ୍ଥାନାନ୍ତର ପ୍ରକ୍ରିୟାରେ ପାତର ଅନ୍ତର ଏବଂ ପ୍ରିୟାପ୍ରୀତି ପୋଷଣ କରାଯାଇଛି। ଫଳରେ ୨୦ ପରିବାର ପ୍ୟାକେଜରୁ ବଞ୍ଚିତ ହୋଇଛନ୍ତି। ନିଜ ହକ୍ ପାଇଁ ସେମାନେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ଏହି କ୍ଷତିପୂରଣ ପ୍ୟାକେଜ ମିଳିନାହିଁ। ଏଣୁ କଟରଙ୍ଗ ଗାଁ ଲୋକେ ଆଜି ସାତକୋଶିଆ ଡିଏଫଓଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।
ଗାଁର ୧୨୩ ପରିବାର ପ୍ୟାକେଜରେ ଅନ୍ତର୍ଭୂକ୍ତ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୭୬ ଜଣଙ୍କୁ ପ୍ୟାକେଜ୍ ମିଳିଛି। ଗାଁର ବାସିନ୍ଦା ନ ହୋଇ ବର୍ଷବର୍ଷ ଧରି ଗାଁ ରେ ରହୁନଥିବା ୭ ରୁ ୧୦ ଜଣ ଏଥିରେ ସହାୟତା ରାଶି ପାଇଥିବା ବେଳେ ବଞ୍ଚିତ ୨୦ ପରିବାରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇଛି। ଏହି ପରିବାର ଟିକରପଡା ପଞ୍ଚାୟତ କଟରଙ୍ଗ ଗ୍ରାମର ବୋଲି ସେମାନଙ୍କ ପାଖରେ ସମସ୍ତ ପ୍ରମାଣ ପତ୍ର ଥିଲେ ମଧ୍ୟ ସେମାନଙ୍କୁ ଏହି ପ୍ୟାକେଜ ମିଳିନାହିଁ। ଏନେଇ ସେମାନେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ।କିନ୍ତୁ କୌଣସି ସୁଫଳ ନମିଳିବାରୁ ଦାବି ପୂରଣ ହେବା ଯାଏଁ ଡିଏଫଓଙ୍କ ଅଫିସ ଆଗରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି।