ଅନ୍ୟାନ୍ୟ

ଅଭୟାରଣ୍ୟ ବିସ୍ଥାପିତ କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ

By Swagatika Samantray

November 01, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଭୟାରଣ୍ୟରୁ ବିସ୍ଥାପିତ କଟରଙ୍ଗ ଗାଁର କ୍ଷତିଗ୍ରସ୍ତ ୨୯ ପରିବାର ସଦସ୍ୟ ମଙ୍ଗଳବାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ।

ସୂଚନା ଯେ, କଟରଙ୍ଗ ଗ୍ରାମବାସୀ ବିସ୍ଥାପନ ପ୍ରକ୍ରିୟାରେ ପ୍ୟାକେଜ୍ ତାଲିକାଭୂକ୍ତ ନଥିବାରୁ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଅଛନ୍ତି। ଅନଶନରେ କ୍ଷତିଗ୍ରସ୍ତ ମହିଳା ଓ ପୁରୁଷଙ୍କ ସହ ଟିକରପଡା ସରପଞ୍ଚ ସୌମ୍ୟରଞ୍ଜନ ସାହୁ, ପୂର୍ବତ୍ତନ ସରପଞ୍ଚ ତ୍ରୀନାଥ ସାହୁ ଏବଂ ୩୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ଗ୍ରାମବାସୀ ଅନଶନରେ ବସିଥିଲେ। କ୍ଷତିଗ୍ରସ୍ତ ଗ୍ରାମବାସୀ ପ୍ୟାକେଜ୍ ପାଇ ନଥିବା ଏବଂ ଜମିବାଡିର କ୍ଷତିପୂରଣ ପାଇବା ପୂର୍ବରୁ ଘରଦ୍ବାର ଭାଙ୍ଗିବାକୁ କ୍ଷୁବ୍ଧ ହୋଇଥିଲେ। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ୨୦ ଦଫାର ଏକ ସ୍ମାରକପତ୍ର ଅନୁଗୁଳ ତହସିଲଦାର୍ ବିମଳ କୁମାର ଲେଙ୍କାଙ୍କୁ ପ୍ରଦାନ କରିଥିଲେ। କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଅନଶନ ସ୍ଥଳକୁ ଅନୁଗୁଳ ତହସିଲଦାର ଶ୍ରୀ ଲେଙ୍କା, ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ଏବଂ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂହ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଦାବୀ ସମ୍ପର୍କରେ ପ୍ରଶାସନ ଅବଗତ ଥିବା ଏବଂ କମିଟି ମାଧ୍ୟମରେ ବିଚାର କରାଯିବାକୁ ପ୍ରତିଶୁତି ଦେଇଥିଲେ। ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କଠାରୁ ପାଣି ପିଇବା ପରେ ଅନଶନ ଭଙ୍ଗ କରିଥିଲେ।ଆନ୍ଦୋଳନରେ ପୁର୍ବତନ ସରପଞ୍ଚ ତ୍ରୀନାଥ ସାହୁ ନେତୃତ୍ବ ନେଇଥିଲେ।