ଘଟଣା ଓ ଦୁର୍ଘଟଣା

ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀ ଗିରଫ, ମୃତ ଅଣ୍ଡିରା ବାରହା ଜବତ

By Sanjeeb Biswal

September 05, 2022

ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ବନାଞ୍ଚଳ ନୂଆଗାଁ ପଞ୍ଚାୟତର ଜଙ୍ଗଲରେ ବାରହା ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ। ଶିକାରୀ ନିକଟରୁ ୮୦ କେଜି ଓଜନର ଏକ ଅଣ୍ଡିରା ମୃତ ଦେହ ଜବତ କରାଯାଇଛି।

ବନ ବିଭାଗ ସୂଚନା ମୁତାବକ, ଗତ ଶନିବାର ବିଳମ୍ବିତ ରାତିରେ ନୂଆଗାଁ ଲୁଣମାଟି ଜଙ୍ଗଲରେ କିଛି ଲୋକ ବିଦ୍ୟୁତ ତାର ସଂଯୋଗ କରି ବାରହା ଶିକାର କରୁଥିବା ଖବର ପାଇ କଣଲୋଇ ଫରେଷ୍ଟର ମହେଶ୍ୱର ପ୍ରଧାନ, ଫରେଷ୍ଟ ଗାର୍ଡ କମଳ ଲୋଚନ ପ୍ରଧାନ, ଦୀପକ ମହାନ୍ତି, ଆଦିକନ୍ଦ ସାହୁ ପ୍ରମୁଖ ବନ କର୍ମଚାରୀ ପହଞ୍ଚି ଚଢ଼ଉ କରିଥିଲେ। ବନ ବିଭାଗ କର୍ମଚାରୀ ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଡାକି ବିଦ୍ୟୁତ୍ ସଂଯୋଗ କାଟିଥିଲେ। ବନ କର୍ମଚାରୀଙ୍କୁ ଦେଖି ଶିକାରୀ ଫେରାର ହୋଇ ଯାଇଥିବା ବେଳେ ଦିପନ ସାହୁ ନାମକ ଜଣେ ଶିକାରୀକୁ ଗିରଫ କରାଯାଇଥିଲା। ଚଢ଼ଉ ବେଳେ ବନ କର୍ମଚାରୀ ମୃତ ଅଣ୍ଡିରା ବାରହା ପାଇଥିଲେ। ପରେ ଅଭିଯୁକ୍ତର ଡାକ୍ତରୀ ମାଇନା କରି ସୋମବାର ଅପରାହ୍ନରେ ଦିପନକୁ କୋର୍ଟ ଚାଲାଣ କରାଯାଇଛି।