ଘଟଣା ଓ ଦୁର୍ଘଟଣା

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ସ୍ବାମୀ ଗିରଫ

By Swagatika Samantray

October 20, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଯେ, ଗାଁର ଅନିଲ ସେଠୀ(୩୫) ବୁଧବାର ସକାଳେ ଅତ୍ୟଧିକ ମଦ୍ୟପାନକରି ସାମାନ୍ୟ କଥାରେ ତାଙ୍କ ସ୍ତ୍ରୀ ମମତା ସେଠୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ପ୍ରାଣ ଭୟରେ ମମତା ତାଙ୍କ ବାପଘରୁ ବାହାରିଥିଲେ। ତେବେ ଗାଁ ବସଷ୍ଟାଣ୍ଡରୁ ଅନିଲ ସ୍ତ୍ରୀ ମମତାଙ୍କୁ ଭିଡ଼ିଆଣି ଘରେ ପୁଣି ନିସ୍ତୁକ ମାଡ଼ମାରିଥିଲେ। ଫଳରେ ମମତା ଗୁରୁତର ଆହତ ହୋଇଥିଲେ। ମମତା ଏ ନେଇ ତାଙ୍କ ବାପାଙ୍କୁ ଫୋନରେ ଜଣାଇଥିଲେ। ଫୋନରେ ଖବର ପାଇ ମମତାଙ୍କ ବାପା ମଞ୍ଜ ସେଠୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀ ଅନିଲଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି।