ମୁଖ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ

By Angul TV Bureau

October 26, 2025

ଅନୁଗୁଳ: ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି। ଛଅ ବର୍ଷ ତଳେ ପ୍ରେମ ବିବାହ କରିଥିବା ସ୍ୱାମୀ ହିଁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା ଅଭିଯୁକ୍ତ ସ୍ୱାମୀ ସିଦ୍ଧାନ୍ତ ସାହୁ (୨୮)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ସୂଚନା ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସଡିପିଓ ଉମାକାନ୍ତ ମହାଳିକ ଦେଇଛନ୍ତି।

ସିଦ୍ଧାନ୍ତ ଏବଂ ମୀନାକ୍ଷୀ ୬ ବର୍ଷ ତଳେ ମନ୍ଦିରରେ ପ୍ରେମ ବିବାହ କରି ତୁରଙ୍ଗ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତ ଅକ୍ଟୋବର ୨୨ ତାରିଖ ସକାଳେ ଉଗ୍ର ପାରିବାରିକ କଳହର କରୁଣ ପରିଣତି ସ୍ୱରୂପ ସିଦ୍ଧାନ୍ତ ସ୍ତ୍ରୀର ବେକ କାଟି ହତ୍ୟା କରିଥିଲେ। ହତ୍ୟା ପରେ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ଛାଡ଼ି କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ।

୨୨ ତାରିଖ ସକାଳୁ ରାତି ପର୍ଯ୍ୟନ୍ତ ଝିଅ-ଜ୍ୱାଇଁଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମୀନାକ୍ଷୀଙ୍କ ମାଆ କବିତା ଭଞ୍ଜ ଭଡ଼ା ଘରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅର ମୃତଦେହ ଦେଖିଥିଲେ। ମୀନାକ୍ଷୀ ପୂର୍ବରୁ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଥିଲେ ଏବଂ ଗତ ବର୍ଷ ସିଦ୍ଧାନ୍ତ ନାମରେ ଯୌତୁକ ନିର୍ଯାତନା ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ଆଧାରରେ ସେ ଅନୁଗୁଳ ଥାନାରେ ସ୍ୱାମୀ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।

ଅନୁଗୁଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓଙ୍କ ତତ୍ତ୍ୱାବଧାନରେ ଦୁଇଟି ଟିମ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ ଏବଂ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ସିଦ୍ଧାନ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ପୋଲିସ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ଛୁରୀ ଓ ଗୋଟିଏ ମୋବାଇଲ ଜବତ କରିଛି ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅପରାଧ ତଦନ୍ତ କରାଯାଇଛି। ଅନୁଗୁଳ ଟାଉନ ଥାନାରେ କେସ୍ ନମ୍ବର ୧୦୮୬/୨୩.୧୦.୨୦୨୫ ରେ ମାମଲା ରୁଜୁ ହୋଇଛି।