ଘଟଣା ଓ ଦୁର୍ଘଟଣା

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

By Swagatika Samantray

November 02, 2022

ଅନୁଗୁଳ:  ଅନୁଗୁଳ ସହରର ଅମଲାପଡ଼ାର ପ୍ରଦୀପ ପ୍ରଧାନଙ୍କୁ ସ୍ତ୍ରୀ ହତ୍ୟା ଅଭିଯୋଗରେ ପୁଲିସ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନା ଅନଯାୟୀ ,କିଛି ଦିନ ହେବ ପ୍ରଦୀପ ପ୍ରଧାନ(୫୫) ଓ ତାଙ୍କ ସ୍ତ୍ରୀ ଗୁରୁବାରୀ ପ୍ରଧାନ(୩୫)ଙ୍କ ମଧ୍ୟରେ ପାଟିଗୋଳ ଲାଗିଥିଲା। ଯାହାଫଳରେ ଘରେ ରୋଷେଇ ହେଉନଥିଲା। ତେବେ ଗତ ୨୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ପ୍ରଦୀପଙ୍କ ପୁଅ ବିଶ୍ବଜିତ ପ୍ରଧାନ ଘରକୁ ଫେରି ଦେଖିଲା ବେଳକୁ ତାଙ୍କ ମା’ ଗୁରୁବାରୀ ତଳେ ଶୋଇଛନ୍ତି ଓ ବାପା ପ୍ରଦୀପ ଖଟ ଉପରେ ଶୋଇଛନ୍ତି। ବିଶ୍ବଜିତ ମା‘ଙ୍କୁ ଡ଼ାକିଥିଲେ। କୌଣସି ଉତ୍ତର ନମିଳିବାରୁ ତାଙ୍କୁ ଉଠାଇଥିଲେ ହେଁ ସେ ନିଶ୍ଚଳ ଥିଲେ। କାଳେ ମା’ଙ୍କ ଦେହ ଖରାପ ଅଛି ଭାବି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ଉଭୟ ବାପା ଓ ପୁଅ। କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଥିଲା।

ତେବେ ଶବ ବ୍ୟବଛେଦ ରିପୋର୍ଟରେ ଗଳା ଚିପି ହତ୍ୟା କରାଯାଇଥିବା ଜଣା ପଡ଼ିବାପରେ ପୋଲିସ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିଣତକରି ବୁଧବାର ପ୍ରଦୀପଙ୍କୁ ଗିରଫକରି ଥିଲା। ଗୁରୁବାରୀଙ୍କୁ ଘରୋଇ ଗଣ୍ଡଗୋଳରୁ ତଣ୍ଟି ଚିପି ରାତିରେ ହତ୍ୟା କରିଥିବା ପୋଲିସ ଆଗରେ ସେ ସ୍ବିକାର କରିଥିଲେ। ପ୍ରଦୀପଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।