ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଗାଁରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ମଙ୍ଗଳବାର ସ୍ବାମୀଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ମିଲି ସାହୁ(୨୮)ଙ୍କୁ ଗତ ୯ ବର୍ଷ ତଳେ ରାଇଝରଣ ଗାଁର ପଦ୍ମଚରଣ ସାହୁ ବିବାହ କରିଥିଲେ। ବିବାହ ବେଳେ ଯୌତୁକ, ସୁନା ଗହଣା ଓ ଅନ୍ୟ ସାମଗ୍ରୀ ଦିଆଯାଇଥିଲା। ତେବେ ଅଧିକ ଯୌତୁକ ଦାବିକରି ସ୍ବାମୀ ପଦ୍ମଚରଣ ନିର୍ଯାତନା ଦେଇ ଆସୁଥିଲେ। ତେବେ ୨୯ ତାରିଖ ଅପରାହ୍ନରେ ମିଲିଙ୍କୁ କାଙ୍କରେ ହାଣି ବିଲ ଭିତରେ ଥିବା ଏକ କୂଅରେ ପକାଇ ଦିଆଯାଇଥିଲା। ଏ ନେଇ ଗାଁ ଲୋକ ଜାଣିବାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ମିଲିଙ୍କ ଭାଇ ସନ୍ତୋଷ ପ୍ରଧାନ ୩୦ ତାରିଖ ରବିବାର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଥାନା କେସ ନଂ ୧୫/୨୨ରେ ଦଫା ୪୯୮(ଏ), ୩୦୨, ୩୦୪(ବି), ୨୦୧, ୩୪ ଓ ଯୌତୁକ ନିରୋଧ ଆଇନର ଧାରା ୪ ରେ ଏକ ମାମଲା ରୁଜୁକରି ଶବ ବ୍ୟବଛେଦକରି ଅଭିଯୁକ୍ତଙ୍କୁ ଖୋଜୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବରପାଇ ପୁଲିସ ମଙ୍ଗଳବାର ପଦ୍ମଚରଣ ସାହୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।