ମୁଖ୍ୟ ଖବର

ପରକୀୟା ପ୍ରୀତି ସନ୍ଦେହ! ନବବିବାହିତ ସ୍ତ୍ରୀକୁ ହାଣିଲା ସ୍ୱାମୀ

By Angul TV Bureau

May 18, 2025

ଅନୁଗୁଳ: ପତ୍ନୀଙ୍କୁ ହାଣି ମାରିଲା ସ୍ୱାମୀ। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏକ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ବିବାହର ମାତ୍ର ୬ ମାସ ଭିତରେ ସ୍ବାମୀ ଏହି ନାରକୀୟ କାଣ୍ଡ ଘଟାଇଛି। ଏହି ମାମଲାରେ ଅନୁଗୁଳ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀକାନ୍ତ ପ୍ରଧାନ(୨୦)କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ମୁତାବକ, ଅନୁଗୁଳ ସହର ଶିକ୍ଷକପଡ଼ାରେ ଶ୍ରୀକାନ୍ତ ତାଙ୍କ ପତ୍ନୀ ଜ୍ୟୋସ୍ନା ପ୍ରଧାନଙ୍କ ସହ ଭଡ଼ାଘରେ ରହୁଥିଲେ। ଗତ ୬ ମାସ ତ‌ଳେ ବଇଣ୍ଡା ଶିବ ମନ୍ଦିରରେ ଉଭୟେ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଶ୍ରୀକାନ୍ତ ଝଗଡ଼ା କରୁଥିଲେ। ଜ୍ୟୋସ୍ନା କାହା ସହ ଫୋନ୍‌ରେ କଥା ହେଉଥିବା ସନ୍ଦେହ କରି ନିୟମିତ ମାରପିଟ୍‌ କରନ୍ତି। ଫଳରେ ପରିବାରରେ ଅଶାନ୍ତି ଲାଗି ରହିଥିଲା। ତେବେ ଗତକାଲି ରାତିରେ ଏହି ଉଗ୍ର ରୂପ ଧାରଣ କରିଥିଲା। ଶେଷରେ ଶ୍ରୀକାନ୍ତ ରାଗି ଯାଇ ପତ୍ନୀଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଏନେଇ ଜ୍ୟୋସ୍ନାଙ୍କ ଭଉଣୀ ଦେବକୀ ପ୍ରଧାନ ଅନୁଗୁଳ ଥାନାରେ ଏତଲା ଦେବା ପରେ ପୁଲିସ ୪୧୧/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ଏପଟେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।