ମୁଖ୍ୟ ଖବର

ପ୍ରେମ ବିବାହ ପରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ୱାମୀ, ଶାଶୁ ଓ ଶ୍ୱଶୁରକୁ ଆଜୀବନ କାରାଦଣ୍ଡାଦେଶ

By Angul TV Bureau

August 09, 2023

ଅନୁଗୁଳ: ଏକ ବଧୂ ହତ୍ୟା ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଜିଲ୍ଲା ଦୌରା ଜଜ। ଅନୁଗୁଳ ଜିଲ୍ଲାରେ ୨୦୨୦ ମସିହା ଫେବ୍ରୁଆରୀ ୨ ତାରିଖରେ ହୋଇଥିବା ଏକ ଯୌତୁକ ଜନିତ ବଧୂହତ୍ଯା ମାମଲାରେ ସ୍ୱାମୀ, ଶାଶୁ ଓ ଶ୍ୱଶୁରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା କନ୍ତିଓ ଗ୍ରାମର ସ୍ବର୍ଣ୍ଣପ୍ରଭା ପରିଡ଼ା ଗତ ୨୦୧୯ ମସିହାରେ ବଅଁରପାଳ ଥାନା ଜୋରାଗାଡ଼ିଆ ଗ୍ରାମର ବିକ୍ରମ ରାଉତଙ୍କ ସହ ଘରୁ ପଳାଇ ଭୁବନେଶ୍ୱରରେ ରହିଥିଲେ। ପରେ ଘର ଲୋକଙ୍କ ସହମତି ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ଅନୁଗୁଳ ବୁଢୀ ଠାକୁରାଣୀ ମନ୍ଦିରରେ ଦୁହେଁ ବିବାହ କରିବା ସହ ନୋଟାରୀରେ ବିବାହ ପଞ୍ଜିକରଣ କରିଥିଲେ।

ଉଭୟ ସ୍ୱାମୀ-ସ୍ତ୍ରୀ ଜୋରାଗାଡିଆ ଗାଁ ବିକ୍ରମଙ୍କ ଘରେ ରହିଥିଲେ। ତେବେ ୨୦୨୦ ମସିହା ଫେବ୍ରୁଆରୀ ମାସ ୨ ତାରିଖରେ ସ୍ୱର୍ଣ୍ଣପ୍ରଭାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ସ୍ୱର୍ଣ୍ଣପ୍ରଭାଙ୍କ ବାପା ଓ ପରିବାର ଲୋକ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ଯୌତୁକ ଦାବିରେ ତଣ୍ଟି ଚିପି ହତ୍ୟା କରା ଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ।

ଏହି ଘଟଣାରେ ପୋଲିସ ତଦନ୍ତ କରି ୨୮/୨.୨.୨୦୨୦ରେ ମାମଲା ରୁଜୁ କରିଥିଲା। ଆଜି ୧୦ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅନୁଗୁଳ ଅତିରିକ୍ତ ଜିଲ୍ଲ ଦୌରା ଜଜ ରଞ୍ଜିତା ଜ୍ୟୋତିଷି ଶୁଣାଣି କରି ସ୍ୱାମୀ ବିକ୍ରମ ରାଉତ(୨୫), ଶ୍ୱଶୁର ପ୍ରଫୁଲ୍ଲ ରାଉତ(୫୦) ଓ ଶାଶୁ ବିଳାଶ ରାଉତ୍(୪୭)କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଲେଖାଏଁ ଟଙ୍କା ଜରିମାନା, ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି।

ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରିଥିଲେ।