ଘଟଣା ଓ ଦୁର୍ଘଟଣା

ପତ୍ନୀ ଆଗରେ ଧରାପଡ଼ିଲା ସ୍ଵାମୀଙ୍କ ପରକୀୟା ପ୍ରୀତି

ଗହଣା ଦୋକାନରେ ପିଟିଲେ, ଗାଡ଼ିରେ ଉଠାଇନେଲେ

By Biswaranjan Pattnaik

February 26, 2021

ଅନୁଗୁଳୁ: ମହଙ୍ଗା ପଡ଼ିଛି ପରକୀୟା ପ୍ରୀତି । ସ୍ୱାମୀଙ୍କ କଳା କାରନାମା ପତ୍ନୀ ଜାଣିବା ପରେ ସଦଳବଳ ପହଞ୍ଚି ଘଟାଇଛନ୍ତି ତୁମୁଳକାଣ୍ଡ । ଗହଣା ଦୋକାନରେ ସ୍ଵାମୀକୁ ପର ମହିଳାଙ୍କ ସାଥୀରେ ଦେଖି କରିଛନ୍ତି ଗଣ୍ଡଗୋଳ । ଉଭୟଙ୍କୁ ବୋଲେରୋରେ ଉଠାଇ ନେଇଥିଲେ। ଅନୁଗୁଳ ସହରରେ ଗୁରୁବାର ଅପରାହ୍ନ ୨ଟା ବେଳେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖବର ପାଇ ପୁଲିସ ବୋଲେରୋକୁ ପିଛା କରିଥିଲେ ହେଁ କାବୁ କରିପାରିନାହିଁ । ତେବେ ସମ୍ପୃକ୍ତ ଯୁବକ ଆସିଥିବା ସ୍କୁଟକୁ ପୁଲିସ୍ ଜବତ କରିଛି। ରାତିରେ ଉଭୟପକ୍ଷ ଥାନାରେ ହାଜର ହୋଇଥିବାବେଳେ ପୁଲିସ ବୁଝାସୁଝା କରିଛି। ପ୍ରାପ୍ତ ସୂଚନା ମୁତାବକ, କଣିହାଁ ଅଞ୍ଚଳର ଜଣେ ଯୁବତୀ, ତାଙ୍କ ମା’ ଓ ତାଙ୍କ ଦୁଇ ଛୋଟ ପୁଅଝିଅ ସହ ଗୁରୁବାର ଅପରାହ୍ନରେ ଏକ ଅଟୋ ରିକ୍ସାରେ ଅନୁଗୁଳ ହନୁମାନ ବଜାରରେ ଥିବା ଗହଣା ଦୋକାନକୁ ଆସିଥିଲେ । ଯୁବତୀଙ୍କ ମା’ ଓ ଦୁଇ ଛୁଆ ଗାଡିରେ ବସିଥିବା ବେଳେ ଯୁବତୀ ଗହଣା ଦୋକାନକୁ ପଶିଥିଲେ । ତେବେ ଠିକ୍ ଏହି ସମୟରେ ବଅଁରପାଳ ଅଞ୍ଚଳର ଜଣେ ଯୁବକ ସ୍କୁଟିରେ ଆସି ଗହଣା ଦୋକାନରେ ପହଞ୍ଚିଥିଲେ। ଯୁବତୀଙ୍କ ସହ ମିଶି ସେ ଗହଣା କିଣୁଥିଲା ବେଳେ କିଛି ସମୟ ପରେ ଗହଣା ଦୋକାନ ସାମ୍ନାରେ ଲାଗିଥିଲା ଏକ ବୋଲେରୋ । କେହି କିଛି ବୁଝିବା ଆଗରୁ ବୋଲେରୋରୁ ୬ରୁ ୭ ଜଣ ମହିଳା ବାହାରିଥିଲେ। ଗହଣା ଦୋକାନରେ ପଶି ସମ୍ପୃକ୍ତ ଯୁବକଙ୍କୁ ମାରପିଟ କରିଥିଲେ । ଚୁଟି ଝିଙ୍କି ପକାଇଥିଲେ । ଯୁବତୀଙ୍କୁ ମଧ୍ୟ ଛାଡ଼ି ନଥିଲେ । ତାଙ୍କୁ ମଧ୍ୟ ମାରଧର କରିଥିଲେ । ବିବାହିତ ହୋଇ ମଧ୍ଯପ୍ରେମ ନିଶା ଛାଡୁନାହିଁ ବୋଲି ସମ୍ପୃକ୍ତ ଯୁବକଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ । ପ୍ରାୟ ଅଧଘଣ୍ଟା କାଳ ଗହଣା ଦୋକାନ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଗହଣା ଦୋକାନ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚିବା ପୂର୍ବରୁ ଯୁବକଙ୍କ ପରିବାର ଲୋକ ଯୁବକ ଓ ଯୁବତୀଙ୍କୁ ବୋଲେରୋରେ ବସାଇ ପଳାଇ ଯାଇଥିଲେ । ପୁଲିସ୍ ସେମାନଙ୍କୁ ପିଛା କରିଥିଲେ ହେଁ କାବୁ କରିପାରିନଥିଲା । ପରେ ଯୁବକ ଛାଡ଼ି ଯାଇଥିବା ସ୍କୁଟରକୁ ଜବତ କରିବା ସହ ଯୁବତୀଙ୍କ ମା’ ଓ ପୁଅ ଏବଂ ଝିଅକୁ ଥାନାକୁ ଆଣିଥିଲା । ତେବେ ଯୁବତୀ ଜଣଙ୍କ ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ପାଇ ବାପଘରେ ରହୁଛନ୍ତି । ସେପଟେ ଯୁବକ ଜଣଙ୍କ ସିଆଇଏସ୍‌ଏଫରେ ଚାକିରି କରନ୍ତି । ସେ ମଧ୍ୟ ବିବାହ କରିଛନ୍ତି । ଉଭୟଙ୍କ ମଧ୍ୟରେ ପୂର୍ବରୁ ପରିଚୟ ଥିବା ବେଳେ ଯୁବକଙ୍କ ପତ୍ନୀ ଏନେଇ ସନ୍ଦେହ କରୁଥିଲେ । ତେଣୁ ସ୍ୱାମୀଙ୍କୁ ପିଛା କରି ରଙ୍ଗେ ହାତ୍ ଧରିଥିଲେ । ସମ୍ପୃକ୍ତ ଯୁବତୀ ଓ ଯୁବକଙ୍କୁ ବୋଲେରୋ ଉଠାଇ ନେଇ ପରିବାର ଲୋକ ବଅଁରପାଳ ଥାନାକୁ ଯାଇଥିଲେ । ତେବେ ସେଠାରୁ ନିରାଶ ହୋଇ ରାତିରେ ଅନୁଗୁଳ ଥାନାରେ ପହଞ୍ଚିଥିଲେ।