ଘଟଣା ଓ ଦୁର୍ଘଟଣା

ବସରେ ଚଢ଼ିଲେ କିନ୍ତୁ ଭଡ଼ା ଦେଲା ବେଳକୁ ଅବକାରୀ କର୍ମଚାରୀ କହି ଧମକାଇଲେ, କଣ୍ଡକ୍ଟରଙ୍କୁ କହିଲେ- ‘ମୁଁ ସରକାରୀ ଚାକିରିଆ, ପଇସା ଦେବିନି’

By Angul TV Bureau

March 07, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗର ଜଣେ ଅଧିକାରୀ ଜଣେ ବସ କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ନେଇ ଅଭିଯୋଗ ଆସିଛି।  ବସ କଣ୍ଡକ୍ଟର ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଉକ୍ତ ଅଧିକାରୀ ନିୟମିତ ଅନୁଗୁଳରୁ ଆଠମଲ୍ଲିକ ଅବକାରୀ ଅଫିସକୁ ଯିବା ଆସିବା କରିଥାନ୍ତି। ଆଜି ସମ୍ବଲପୁର ଅଭିମୁଖେ ଯାଉଥିବା ଏକଯାତ୍ରୀ ବାହୀ ବସରେ ସେ ବଇଣ୍ଡା ଯାଏଁ ଆସିଥିଲେ। କିନ୍ତୁ କ୍ଷମତାର ଦବଦବା ଦେଖାଇ ସେ ବସ୍ ଭଡ଼ା ଦେଇ ନଥିଲେ। କଣ୍ଡକ୍ଟର ଭଡ଼ା ମାଗିବାରୁ ଆମେ ସରକାରୀ ଡିଉଟି କରୁଛୁ, ଭଡ଼ା ଦେବୁନୁ ବୋଲି କହିଥିଲେ। ହେଲେ ଏହା ବେସରକାରୀ ବସ୍ ହୋଇଥିବାରୁ ଭଡ଼ା ଦେବା ନିହାତି ଦରକାର ବୋଲି କଣ୍ଡକ୍ଟର ଭଡ଼ା ମାଗିଥିଲେ। ଏଥିରେ ଅବକାରୀ କର୍ମଚାରୀ ଉତକ୍ଷିପ୍ତ ହୋଇ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଉକ୍ତ ବସରେ ଅବକାରୀ ଚୋରା ସାମଗ୍ରୀ ରଖି ଜବତ କରାଇ ଦେବୁ ବୋଲି କହି ଧମକ ଦେଇଥିଲେ। ବସରେ ଥିବା ଅନ୍ୟ ଯାତ୍ରୀ ଅବକାରୀ କର୍ମଚାରୀଙ୍କୁ ବିରୋଧ କରିବାରୁ ସେ ଭଡ଼ା ନ ଦେଇ ଓହ୍ଲାଇ ଆଠମଲ୍ଲିକ ଅଭିମୁଖେ ପଳାଇଥିଲେ।

ଏ ନେଇ ଆଠମଲ୍ଲିକ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝୀଙ୍କୁ ପଚାରିବାରୁ ସେ କୁହନ୍ତି ଅବକାରୀ କର୍ମଚାରୀଙ୍କ ଏଭଳି ଦୁର୍ବ୍ୟବହାର ସମ୍ପର୍କରେ ତଦନ୍ତ କରାଯିବ। ଏଥିସହ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।