Road warning sign for elephant crossing road against traffic with tuk tuk, Sri Lanka

ମୁଖ୍ୟ ଖବର

ହାତୀ ମୃତ୍ୟୁ ରୋକିବା ପାଇଁ ରେଳ ବିଭାଗ ପକ୍ଷରୁ ଲାଗିବ ଆଇଡିଏସ ବ୍ୟବସ୍ଥା

By Biswaranjan Pattnaik

August 20, 2023

ଅନୁଗୁଳ: ନିକଟ ଅତୀତରେ ଟ୍ରେନ ଧକ୍କାରେ ବହୁ ହାତୀ ମୄତା ହତ ହୋଇଥିବାରୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି।ତେଣୁ ଖୁବ ଶୀଘ୍ର ଆର୍ଟିଫିଶିଆଲ ଇଣ୍ଟେଲିଯେନ୍ସ ଭିତ୍ତିକ ଆଇଡିଏସ ବ୍ୟବସ୍ଥା ଓଡ଼ିଶାରେ ପ୍ରଥମ ଥର ପାଇଁ ଲାଗୁ କରାଯିବ।ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର ରେଳୱେ ଡିଭିଜନର ୨୦୦କିମି ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଆଇଡିଏସ ଅର୍ଥ ଇଣ୍ଟ୍ରୁଜନ୍ ଡି ଟେକ୍ସନ୍ ସିଷ୍ଟମ। ଅପ୍ଟିକାଲ୍ ଫାଇବର ଏବଂ ସେନ୍ସର୍ ଯୁକ୍ତ ଏହି ବ୍ୟବସ୍ଥାରେ ହାତୀ ଟ୍ରାକ ପାଖକୁ ଆସିବା କ୍ଷଣି ଏଥିନେଇ ସତର୍କ ସୂଚନା ଷ୍ଟେସନ ମାଷ୍ଟର,ଗେଟ ମ୍ୟାନ ଏବଂ ଲୋକୋ ପାଇଲଟକୁ ତତ୍କାଳ ମିଳିଯିବ। ଏହି ବ୍ୟବସ୍ଥା ହାତୀ ଚଲାପଥ ଓ ହାତୀ ଅତିକ୍ରମ କରୁଥିବା ରେଳୱେ ଟ୍ରାକ ଅଞ୍ଚଳରେ ସଂଯୁକ୍ତ କରାଯିବ।

ଓଡ଼ିଶାର ଛ ଗୋଟି ସେକ୍ସନ ମଧ୍ୟରୁ କପିଳାସ ରୋଡ ଏବଂ ରାଜା ଆଠଗଡ଼ ଅନୁଗୁଳ ରାସ୍ତାରେ ଏହି ଆଇଡିଏସ ବ୍ୟବସ୍ଥା ଲାଗୁ କରାଯିବ। ଏହି ପ୍ରକଳ୍ପ ପାଇଁ ୭୯.୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେବଳ ହାତୀ ମୃତ୍ୟୁ ନୁହଁ ଟ୍ରାକ ଫ୍ରାକଚର୍,ରେଳୱେ ଲାଇନ ନିକଟରେ ଲ୍ୟାଣ୍ଡ ସ୍ଲାଇଡ୍ ଆଦି ସମ୍ପର୍କରେ ମଧ୍ୟ ବିଭାଗକୁ ଆଗୁଆ ସୂଚନା ମିଳିପାରିବ। ଆସାମ ଓ ବେଙ୍ଗଲ ରେ ଏହି ବ୍ୟବସ୍ଥା ଫଳପ୍ରଦ ହେଲା ପରେ ଓଡ଼ିଶାରେ ଏହା ଲାଗୁ କରିବାକୁ ରେଳୱେ ବିଭାଗ ମନସ୍ଥ କରିଛି ।