ମୁଖ୍ୟ ଖବର

ଇଗ୍ନଉ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ୪୦ ତମ ପ୍ରତିଷ୍ଠା ଦିବସ

By Biswaranjan Pattnaik

November 20, 2025

ଅନୁଗୁଳ: ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟି ଅନୁଗୁଳ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହାର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭା କକ୍ଷରେ ଆୟୋଜିତ ଏହି ଭବ୍ୟ ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ,ଉଦୟ କୁମାର ମହାପାତ୍ର। ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ କହିଲେ କି ଶିକ୍ଷା ଗ୍ରହଣ କରିବାର ସମୟ କି ବୟସ କିଛି ନାହିଁ। ଇଚ୍ଛା ଶକ୍ତି ଥିଲେ ଜଣେ ଦୂର ସଂଚାର ଶିକ୍ଷା ଗ୍ରହଣ କରି ନିଜକୁ ସଫଳ ସାବ୍ୟସ୍ତ କରିପାରିବ।

ପୁରାଣରୁ ଏକଲବ୍ୟଙ୍କ ଉଦାହରଣ ଦେଇ ସେ କହିଲେ ଦୃଢ଼ ଇଚ୍ଛା ଶକ୍ତି ଥିବାରୁ ଏକଲବ୍ୟ ଜଣେ ଆଗ ଧାଡ଼ିର ଧନୁର୍ଧର ହୋଇ ପାରିଥିଲେ।ସମ୍ମାନିତ ଅତିଥି ରୂପେ ଅନୁଗୁଳ କଲେଜ ଅଧ୍ୟକ୍ଷ ପ୍ରଫେସର ନିଳାଞ୍ଚଳ ପଟେଲ ଯୋଗଦେଇ ଅନୁଗୁଳ ଆଞ୍ଚଳିକ କେନ୍ଦ୍ରର ଅଭୂତପୂର୍ବ  ସଫଳତା ବର୍ଣ୍ଣନା କରିଥିଲେ। ଇଗ୍ନଉ ଅନୁଗୁଳ ଆଞ୍ଚଳିକ କେନ୍ଦ୍ର ନିର୍ଦ୍ଦେଶକ ଡ଼ା ଅଭିଳାଷ ନାୟକ ନିଜ ଅଭିଭାଷଣରେ ଅନୁଗୁଳ କେନ୍ଦ୍ରରେ ରହିଥିବା ପ୍ରଶିକ୍ଷଣ ବ୍ୟବସ୍ଥା, ସୁଲଭ ଫି ବ୍ୟବସ୍ଥା କିଭଳି ହଜାର ହଜାର ଛାତ୍ର ଛାତ୍ରୀଙ୍କୁ ଆକର୍ଷିତ କରିଛି ତାହା ବର୍ଣ୍ଣନା କରିଥିଲେ।ଖୁବ୍ ଶୀଘ୍ର ରନ୍ତଲେଇ ନିକଟରେ ଇଗ୍ନଉର ନିଜସ୍ଵ କୋଠା ନିର୍ମାଣ କରାଯିବ ବୋଲି ଡ଼ା ଦାସ ପ୍ରକାଶ କରିଥିଲେ। ଅନୁଗୁଳରେ ଏମଏସସି ପଦାର୍ଥ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ଇଗ୍ନଉ ମାଧ୍ୟମରେ ଶିକ୍ଷା ନେଇହେବ ବୋଲି ପ୍ରକାଶ କରିଥିଲେ।

ସେଣ୍ଟରର ଅତିରିକ୍ତ ନିର୍ଦ୍ଦେଶକ ଡ଼ା ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ସେଣ୍ଟର ର ଡିଜିଟାଲ ନିଉଜ୍ ଲେଟର ଅନୁଗୁଳ ଆଇନା କୁ ଉନ୍ମୋଚନ କରିଥିଲେ। ଶେଷରେ ଉତ୍କର୍ଷତା ହାସଲ ନିମନ୍ତେ ଅନୁଗୁଳ ଇଗ୍ନଉ ସେଣ୍ଟର୍ ର ସଂଯୋଜକ ତଥା କଲେଜ୍ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ା ବସନ୍ତ କୁମାର ସାହୁଙ୍କ ସମେତ ପାଞ୍ଚ ଜଣ ସଂଯୋଜକ ଓ କିଛି ଅନୁଷ୍ଠାନ ମୁଖ୍ୟଙ୍କୁ ମୁଖ୍ୟ ଅତିଥି ସ୍ମୃତି ଫଳକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମାରୋହରେ ବହୁ କଲେଜ୍ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଇଗନଉ ଷ୍ଟଡି ସେଣ୍ଟର କର୍ମଚାରୀ ଯୋଗ ଦେଇଥିଲେ ।