ମୁଖ୍ୟ ଖବର

ସରକାରୀ ଜାଗାରେ ଗଢ଼ି ଉଠିଛି ମାଳମାଳ ମାଟି ଇଟା ଭାଟି, ସବୁ ଜାଣି ବି ପ୍ରଶାସନ ନିଦାବିଷ୍ଣୁ

By Angul TV Bureau

February 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସରକାରୀ ଜାଗାରେ ମାଳମାଳ ଇଟା ଭାଟି ଗଢ଼ି ଉଠିଛି। ଫଳରେ ବେପାରୀମାନେ ଅବାଧରେ ମାଟିଇଟା ବିକ୍ରି କରି ମାଲାମାଲ୍ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ପ୍ରଶାସନକୁ ଅବଗତ କରିବା ସତ୍ତ୍ବେ ଏଥିରେ ରୋକ୍ ଲାଗୁନାହିଁ। ରାଜସ୍ବ ବିଭାଗ ଓ ବେଆଇନ ମାଟି ଇଟା ମାଫିଆଙ୍କ ଭିତିରି ସମ୍ପର୍କ ଯୋଗୁ ତହସିଲଦାର ଏହି ମାଟି ଇଟା ଭାଟିକୁ ଯାଇ ମଧ୍ୟ ବିନା କାର୍ଯ୍ୟାନୁଷ୍ଠାନରେ ଫେରି ଆସୁଛନ୍ତି।

ଅନ୍ୟପଟେ ଏହି ବେଆଇନ ଇଟାଭାଟି ଯୋଗୁ ବ୍ରାହ୍ମଣୀ ନଦୀ କୂଳ ଖାଇଚାଲିଛି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ ନିକଟସ୍ଥ କଦଳୀପାଳ, ସୁସୁବା ପଞ୍ଚାୟତର ସୁସୁବାପାଳ, ଭାଲିଆବେଢ଼ା, ଆର୍କିଳ ପ୍ରଭୃତି ଗାଁରେ ବ୍ରାହ୍ମଣୀନଦୀ କୂଳରେ ମାଟିଇଟା ପୋଡ଼ାଯାଉଛି। ସରକାରୀ ଜାଗାରେ ୧୦ ରୁ ଅଧିକ ଇଟାଭାଟି ରହିଛି। ମୃତ୍ତିକା ସଂରକ୍ଷଣ ଆଇନ ମୁତାବକ କେହି ମାଟି ଇଟା ତିଆରି କରିପାରିବେ ନାହିଁ କିମ୍ବା କିଣାବିକା କରିପାରିବେ ନାହିଁ। କିନ୍ତୁ ଏଠାରେ ସରକାରୀ ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଛି।

ଏ ସଂପର୍କରେ କଣିହାଁ ତହସିଲଦାର ଚିନ୍ମୟ ଦାସଙ୍କ ସହ ମୋବାଇଲରେ ଯୋଗାଯୋଗ କରିବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇପାରିନଥିବା ଜଣାଯାଇଛି।