ମୁଖ୍ୟ ଖବର

ସହରରେ ବଢ଼ୁଛି ବେଆଇନ ବିସ୍ଫୋରକ କାରବାର! ଡିନାମାଇଟ ବ୍ଲାଷ୍ଟ କରି ମାଛଧରିବା ସହ ପଥର ଲୁଟୁଛନ୍ତି ମାଫିଆ

By Angul TV Bureau

February 17, 2025

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଏବେ ବଢ଼ୁଛି ବେଆଇନ ବିସ୍ଫୋରକ କାରବାର। ସ୍ଥାନୀୟ ଅଞ୍ଚଳରେ ଡିନାମାଇଟ ବିସ୍ଫୋରକ ବହୁଳ ମାତ୍ରାରେ ବିକ୍ରି ହେଉଥିବା ବେଳେ ଏହାର ଅନୈତିକ ଭାବେ ବ୍ୟବହାର ମଧ୍ୟ କରାଯାଉଛି।ଅନୁଗୁଳ ଜିଲ୍ଲାରେ ଅନେକ ନଦୀ ଜୋର ପ୍ରବାହିତ ହେଉଥିବା ବେଳେ ପ୍ରାୟତଃ ସମସ୍ତ ଜଳଉତ୍ସରେ ଜଳସ୍ତର କମିବାରେ ଲାଗିଛି। ଏହାର ଫାଇଦା ନେଇ ଅସାଧୁ ବ୍ୟକ୍ତିମାନେ ମାଛ ଧରିବା ପାଇଁ ଡିନାମାଇଟ ବିସ୍ଫୋରକ ବ୍ୟବହାର କରୁଛନ୍ତି। ମୁଖ୍ୟତଃ ଡେରଜାଙ୍ଗ ଡ୍ୟାମ ସହ ଏହାର ମୁଖ୍ୟ କେନାଲ ଓ ଜୋର ଗୁଡିକରେ ଡିନାମାଇଟ ଫୁଟାଇ ମାଛ ମାରୁଛନ୍ତି।

ସେହିପରି ତାଳଚେର ସମଲ ଅଞ୍ଚଳ, ଲିଙ୍ଗରା ଯୋରରେ ମଧ୍ୟ ସମାନ ଭାବେ ବିସ୍ଫୋରଣ କରି କେତେକ ବ୍ୟକ୍ତି ମାଛ ଧରିବା ଆରମ୍ଭ କରିଦେଲେଣି।ଅନ୍ୟପଟେ ପଥରଖଣିଗୁଡ଼ିକ ଏବେ ବନ୍ଦ ଥିବା ବେଳେ ଚୋରା ଭାବେ ବିସ୍ଫୋରଣ କରି ପଥର ଚାଲାଣ କିନ୍ତୁ ଜାରି ରହିଛି। ଖଣି ମାଲିକମାନେ ଗୋଟେ ଜାଗାରେ ଖନନ ପାଇଁ ଅନୁମତି ନେଇ ମନଇଚ୍ଛା ଅନ୍ୟ ଜାଗାରେ ବି ପଥର ଖନନ କରି ଲାଭ ନେଉଛନ୍ତି। ଫଳରେ ପ୍ରାକୃତିକ ସମ୍ବଳ ନଷ୍ଟ ହେବାରେ ଲାଗିଛି। ଏନେଇ ସ୍ଥାନୀୟ ଲୋକ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏଣୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ପରିବେଶବିତ୍ ଦାବି କରିଛନ୍ତି।