ମୁଖ୍ୟ ଖବର

ବେଆଇନ ବନ୍ଧୁକ ତିଆରି କାରଖାନା ଠାବ: ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ: ଦୁଇ ଦିନରେ ଦୁଇ ଗିରଫ

By Angul TV Bureau

May 23, 2025

ପାଳଲହଡା : ଅନୁଗୁଳ ଜିଲ୍ଲା  ପାଳଲହଡା ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ଅପରାଧ। କେତେବେଳେ ଅତି ବିଭତ୍ସ ଦୁଷ୍କର୍ମ ସାଙ୍ଗକୁ ହତ୍ୟା ତ କେତେବେଳେ ଦୁର୍ବୁତ୍ତ ମାନଙ୍କ ଆତଙ୍କ। ଏବେ କିନ୍ତୁ ଚର୍ଚ୍ଚାରେ ଚୋରା ବନ୍ଧୁକ ନିର୍ମାଣ କାରଖାନା। ଦୁଇ ଦିନରେ ଦୁଇ ଦୁଇଟି ସ୍ଥାନରୁ ଜବତ କରାଯାଇଛି ଚୋରା ବନ୍ଧୁକ ସାଙ୍ଗକୁ ନିର୍ମାଣରେ ବ୍ୟବହୃତ ସମାଗ୍ରୀ। 

ସୂଚନା ଯେ, ଶୁକ୍ରବାର ସକାଳୁ ପାଳଲହଡା ପୋଲିସ ବେଆଇନ ବନ୍ଧୁକ ତିଆରି ବେଳେ ଚଢାଉ କରି ଦେଶୀ ବନ୍ଧୁକ ସହ ଜଣକୁ ଗିରଫ କରିଛି। ପାଳଲହଡା ଥାନା ଅନ୍ତର୍ଗତ ନଗିରା ପଞ୍ଚାୟତର ସଲେଇ ଗ୍ରାମରେ ଦେଶୀ ବନ୍ଧୁକ ତିଆରି ହେଉଥିବା ଖବର ପାଇ  ପୋଲିସର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ଚଢ଼ାଉ ପରେ ପୋଲିସ ଦୁଇଟି ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ଏଥି ସହିତ ଗ୍ରାମର ଜର୍ଜ କମାଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ। ଦୀର୍ଘଦିନ ହେବ ଜର୍ଜ ବେଆଇନ ଭାବେ ଦେଶୀ ବନ୍ଧୁକ ନିର୍ମାଣ କରି ୫ ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲେ। ସେହିପରି ଗୁରୁବାର ଖମାର ପୋଲିସର ଏକ ଟିମ ଝାରବେଡା ପଞ୍ଚାୟତ ଜାମ୍ବୁଆ ଗ୍ରାମରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ସହ ସରଞ୍ଜାମ ଜବତ କରିବା ସହ ଗ୍ରାମର ବଣୁ କିସାନକୁ ଗିରଫ କରିଥିଲା।

ଅନୁଗୁଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପାଳଲହଡା ଉପଖଣ୍ଡ ପୋଲିସ ଅଧିକାରୀ କୈଳାଶ ସେଠିଙ୍କ ନେତୃତ୍ଵରେ ପାଳଲହଡା ଥାନା ଅଧିକାରୀ ପ୍ରଦୀପ ମହାନ୍ତ ଏକ ସ୍ଵତନ୍ତ୍ର ଟିମ୍ କରି ଏହି ଚଢାଉ କରିଥିଲେ। ଏହି କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ପୋଲିସ ଜାରି ରଖିଛି।

ତେବେ ଦୁଇଦିନ ମଧ୍ୟରେ ଦୁଇ ଦୁଇଟି ବନ୍ଧୁକ ତିଆରି କାରଖାନା ଠାବ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।