ମୁଖ୍ୟ ଖବର

ବେଆଇନ ଗଚ୍ଛିତ ବାଣ ଠାବ, ଜଣେ ଅଟକ

By Angul TV Bureau

October 24, 2026

ଅନୁଗୋଳ : ଦୀପାବଳି ପୂର୍ବରୁ ଅନୁଗୋଳରେ ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ ସଦର ଥାନା ପୁଲିସ ଛେଳିଆପଡ଼ା ଗ୍ରାମର ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିଭିନ୍ନ ପ୍ରକାର ବାଣ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଛେଳିଆପଡ଼ା ଗ୍ରାମର ତ୍ରିନାଥ ପ୍ରଧାନ (୫୬)ଙ୍କ ଘରେ ବେଆଇନ ଭାବେ ବାଣ ଗଚ୍ଛିତ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଅନୁଗୋଳ ସଦର ଥାନା ପୁଲିସର ଏକ ଟିମ୍ ତାଙ୍କ ଘରେ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ଘରେ ବିଭିନ୍ନ ବ୍ରାଣ୍ଡର ବହୁ ପରିମାଣର ବାଣ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବିନା ବିପଜ୍ଜନକ ଭାବେ ଗଚ୍ଛିତ ରଖାଯାଇଥିବା ଜଣାପଡ଼ିଥିଲା।

ବାଣ ଗଚ୍ଛିତ ରଖିବା ସମ୍ପର୍କରେ ପୁଲିସ ଆବଶ୍ୟକ ଲାଇସେନ୍ସ ଓ ଅନୁମତିପତ୍ର ମାଗିଥିଲେ ମଧ୍ୟ ସେ କୌଣସି ବୈଧ କାଗଜପତ୍ର ଦେଖାଇପାରି ନଥିଲେ। ପରେ ପୁଲିସ ସେଠାରୁ ସୁତୁଲି ବୋମା, ଅଶୋକା ଫୁଲଝରି, ଟର୍କି ବିଜିଲି, ଲକ୍ଷ୍ମୀ ପେପର ବୋମା, ବ୍ଲୁ ଷ୍ଟାର କୋଟି ବୋମା, ଗଙ୍ଗା-ଯମୁନା ବୋମା ଓ ଶ୍ରୀ ନୀଳା ସ୍ପାର୍କଲ୍ସ ସମେତ ବିଭିନ୍ନ ପ୍ରକାରର ବାଣ ଜବତ କରିଥିଲା।

ଏହି ଘଟଣାରେ ତ୍ରିନାଥଙ୍କୁ ଅଟକ ରଖାଯାଇଛି। ଆଇନର ପ୍ରଯୁଜ୍ୟ ଧାରା ଅନୁଯାୟୀ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପକ୍ଷରୁ ଲିଖିତ ରିପୋର୍ଟ ଦାଖଲ କରାଯାଇଛି।