ଅନୁଗୋଳ: ଅନୁଗୋଳ ଶିଳ୍ପାଞ୍ଚଳରେ ଇଡକୋ (IDCO) ଦ୍ୱାରା ଆବଣ୍ଟିତ ଏକ ଜମିରୁ ଶହ ଶହ ମୂଲ୍ୟବାନ ଗଛ କଟାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ଦିନ ଧରି ବ୍ୟବହାର ନହେବା ଫଳରେ ଏହି ଜମିରେ ବଡ଼ ବଡ଼ ଗଛ ବଢି ଜଙ୍ଗଲ ସଦୃଶ ହୋଇଯାଇଥିଲା। ତେବେ ନିକଟରେ କୌଣସି ଅନୁମତି ବିନା ଏଠାରୁ ଗଛଗୁଡିକୁ କାଟି ସଫା କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାସ୍ଥଳରେ ବଡ଼ ବଡ଼ ଗଛର ମୂଳ ପଡ଼ିଥିବା ବେଳେ ଗଛଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହି ବେଆଇନ ଗଛ କଟାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏନେଇ ଅନୁଗୋଳ ରେଞ୍ଜର ଉଦ୍ଧବ ବେହେରା ସ୍ପଷ୍ଟ କରିଛନ୍ତି ଯେ, ବନ ବିଭାଗ ପକ୍ଷରୁ କୌଣସି ଅନୁମତି ପ୍ରଦାନ କରାଯାଇନାହିଁ। ଏହି ଘଟଣାର ତଦନ୍ତ ପାଇଁ ତହସିଲଦାରଙ୍କୁ ଚିଠି ଲେଖାଯିବ ଏବଂ ଜମି ମାଲିକଙ୍କୁ ତୁରନ୍ତ ଅନୁମତି ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଛନ୍ତି। ବେଆଇନ ଭାବେ ଗଛ କାଟିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।