ଅନୁଗୋଳ: ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ଆଗୁଆ ସୂଚନା ପାଇବା ଏବେ ଆହୁରି ସହଜ ହେବ। ଭାରତୀୟ ପାଣିପାଗ ବିଭାଗ (IMD) ଏଥିପାଇଁ ଏକ ନୂଆ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରିଛି। ଏହାର ନାମ ରହିଛି – ସାଇକ୍ଲୋନ ୱାର୍ଣିଂ ଆଣ୍ଡ ମେରାଇନ ୱେଦର ସର୍ଭିସେସ୍ ଡିସିସନ ସପୋର୍ଟ ସିଷ୍ଟମ।
ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ବାତ୍ୟା କେଉଁ ଦିଗରେ ଗତି କରୁଛି, କେତେ ଶକ୍ତିଶାଳୀ ହୋଇପାରେ, କେଉଁ ଅଞ୍ଚଳରେ କେତେ ବେଗରେ ପବନ ବହିବ ଏବଂ କେଉଁଠି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି, ସେସମ୍ପର୍କରେ ସୂଚନା ମିଳିପାରିବ। ସମୁଦ୍ରରେ ଜୁଆର ଜନିତ ଜଳସ୍ତର ବୃଦ୍ଧି ଓ ନଦୀ ଅବବାହିକାରେ ସମ୍ଭାବ୍ୟ ବର୍ଷା ସମ୍ପର୍କରେ ମଧ୍ୟ ଆକଳନ ଉପଲବ୍ଧ ହେବ। ୱେବ-ଜିଆଇଏସ ଆଧାରିତ ଏହି ପ୍ଲାଟଫର୍ମରେ ଇଣ୍ଟରଆକ୍ଟିଭ ମ୍ୟାପ ଓ ବିଭିନ୍ନ ଚିତ୍ର ମାଧ୍ୟମରେ ପାଣିପାଗ ସମ୍ପର୍କିତ ତଥ୍ୟ ଦେଖିହେବ। ବିଶେଷ କରି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ କେତେ ବିପଦ ରହିଛି, ତାହା ବୁଝିବାରେ ଏହି ବ୍ୟବସ୍ଥା ସହାୟକ ହେବ। ଫଳରେ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଉଦ୍ଧାର କାର୍ଯ୍ୟ ଓ ଅନ୍ୟାନ୍ୟ ପ୍ରସ୍ତୁତି ପାଇଁ ପ୍ରଶାସନ ଠିକ ସମୟରେ ନିଷ୍ପତ୍ତି ନେଇପାରିବ।
ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ବାତ୍ୟା ଋତୁକୁ ଦୃଷ୍ଟିରେ ରଖି IMD ପକ୍ଷରୁ ଆୟୋଜିତ ପ୍ରାକ୍-ବାତ୍ୟା ପ୍ରସ୍ତୁତି ବୈଠକରେ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ବୈଠକରେ ଅଧ୍ୟକ୍ଷତା କରିଥିଲେ IMD ମହାନିର୍ଦ୍ଦେଶକ ତଥା ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପ-ସଭାପତି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଏହି ବୈଠକରେ ୩୦ରୁ ଅଧିକ ସଂସ୍ଥାର ପ୍ରାୟ ୨୩୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, NDRF, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ନୌସେନା, ବାୟୁସେନା, ତଟରକ୍ଷୀ ବାହିନୀ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ବୈଠକରେ ନୂଆ ଡିଜିଟାଲ ବ୍ୟବସ୍ଥାର ସିଧା ପ୍ରଦର୍ଶନ କରାଯିବା ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୧୨ ତାରିଖରେ ହିଁ ୨୦୧୩ରେ ଫାଇଲିନ ଓ ୨୦୧୪ରେ ହୁଡ୍ହୁଡ୍ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲା। ଏହି ଦୁଇ ବାତ୍ୟାର ସଫଳ ଆଗୁଆ ପୂର୍ବାନୁମାନ ଭାରତର ବାତ୍ୟା ସତର୍କତା ବ୍ୟବସ୍ଥା ପାଇଁ ଏକ ବଡ଼ ସଫଳତା ଥିଲା ବୋଲି IMD କହିଛି। ୨୦୦୮ରୁ IMD ପ୍ରତିବର୍ଷ ଦୁଇଥର ଏଭଳି ପ୍ରସ୍ତୁତି ବୈଠକ ଆୟୋଜନ କରିଆସୁଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ସଠିକ ପୂର୍ବାନୁମାନକୁ ଆଧାର କରି ଠିକ ସମୟରେ ପଦକ୍ଷେପ ନେବା ଓ ଧନଜୀବନ କ୍ଷୟକ୍ଷତି କମାଇବା। ଏହି ନୂଆ ପ୍ଲାଟଫର୍ମ IMD ଓ ଆଞ୍ଚଳିକ ବିଶେଷ ପାଣିପାଗ କେନ୍ଦ୍ରର ୱେବସାଇଟ ମାଧ୍ୟମରେ ଉପଲବ୍ଧ ହେବ।