ଅନ୍ୟାନ୍ୟ

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରଶାସନର ଗୁରୁତ୍ବ

By Biswaranjan Pattnaik

July 27, 2022

ଅନୁଗୁଳ: ଡେଙ୍ଗୁ ଜ୍ଵର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାସ୍ତରୀୟ ଡେଙ୍ଗୁ ମାସ ପାଳନ କରାଯାଉଛି। ଏହି ଅବସରରେ ମଙ୍ଗଳବାର ଅପରାହ୍ଣରେ ଜିଲ୍ଲା କୋର୍ଟ ରୁମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେଙ୍ଗୁ ଓ ଡାଇରିଆରୁ ରକ୍ଷା ପାଇବା ନେଇ ସଚେତନତା ଉପରେ ଗୁରୁତ୍ବ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ବବିତା ପ୍ରଧାନ ଯୋଗ ଦେଇ ବର୍ଷା ଦିନେ ଡେଙ୍ଗୁ ଓ ଡାଇରିଆ ଅଧିକ ହେଉଥିବାରୁ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଡେଙ୍ଗୁ ଜ୍ଵରର ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣିମା ଉଦଗାତା ଡେଙ୍ଗୁର ପ୍ରତିକାର ଓ ନିୟନ୍ତ୍ରଣ ତଥା ବିଭିନ୍ନ ବିଭାଗର ଭୂମିକା ଓ ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ବେହେରା, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଡା. ବିନୋଦ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।