ମୁଖ୍ୟ ଖବର

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ

By Angul TV Bureau

January 08, 2023

କଟକ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସମ୍ପର୍କ ରଖୁଛନ୍ତି। ତେଣୁ ଏଭଳି ଘଟଣାରେ ଦୁଷ୍କର୍ମ ସଂକ୍ରାନ୍ତୀୟ ଆଇନ ବ୍ୟବହାର ହେବା ଉଚିତ ନୁହେଁ ବୋଲି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ କହିଛନ୍ତି।

ଆଇପିସିର ଦଫା ୩୭୫ ଅନୁସାରେ, ପୀଡ଼ିତାଙ୍କ ସହିତ ଘଟିଥିବା ନିିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି। କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଘଟଣା ଏହାର ଅନ୍ତର୍ଭୁକ୍ତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି ହାଇକୋର୍ଟ। ଜଣେ ପ୍ରାପ୍ତ ବୟସ୍କା ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୨୦୨୦ ଜାନୁଆରୀ ୧୨ରେ ସାଙ୍ଗରେ ନେଇ ଭୁବନେଶ୍ୱର ଯାଇଥିଲା। ସେଠାରେ ଅଭିଯୁକ୍ତ ପୀଡ଼ିତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। ଭୂଷଣ କିଛି ଦିନ ପରେ ସେ ପୀଡ଼ିତାଙ୍କୁ ଛାଡ଼ି ପଳାଇଥିଲା। ଖବର ପାଇ ପୀଡ଼ିଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଅଭିଯୁକ୍ତ ସନ୍ତୋଷ କୁମାର ନାୟକକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରି ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ହାଇକୋର୍ଟ।