ମୁଖ୍ୟ ଖବର

ରାତି ପାହିଲେ ସାବିତ୍ରୀ ଓଷା: ଫଳ ଓ ପୂଜା ସାମଗ୍ରୀ ଦୋକାନରେ ଅସମ୍ଭାଳ ଭିଡ଼

By Angul TV Bureau

May 15, 2026

ଅନୁଗୁଳ: ଆସନ୍ତାକାଲି ପବିତ୍ର ସାବିତ୍ରୀ ଅମାବାସ୍ୟା। ଏଣୁ ତାଳଚେର ସହର ଓ ଆଖପାଖ ଅଞ୍ଚଳର ବଜାରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ମହିଳାମାନେ ବ୍ରତ ରଖୁଥିବାରୁ, ବଜାରରେ କିଣାବିକା ଚରମ ସୀମାରେ ପହଞ୍ଚିଛି। ବିଶେଷ କରି ଫଳମୂଳ, ଶାଢ଼ି ଏବଂ ପୂଜା ସାମଗ୍ରୀ ଦୋକାନରେ ଗ୍ରାହକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି।

ଘୋଡ଼ାଶାଳ, ବଡ଼ବଜାର, ହାଟତୋଟା, ବସଷ୍ଟାଣ୍ଡ ଓ ଶର୍ମାଛକ ଭଳି ପ୍ରମୁଖ ସ୍ଥାନରେ ବ୍ୟବସାୟୀମାନେ ପ୍ରାୟ ୧୫ରୁ ୨୦ କିସମର ଫଳ ପସରା ମେଲାଇଛନ୍ତି। ବଜାରରେ ସେଓ କେଜି ପ୍ରତି ୨୨୦ରୁ ୩୦୦ ଟଙ୍କା, କମଳା ୨୦୦ ଟଙ୍କା, ଆମ୍ବ ୩୦ରୁ ୮୦ ଟଙ୍କା ଏବଂ କଦଳୀ ଡଜନ ୫୦ରୁ ୮୦ ଟଙ୍କା ଦରରେ ବିକ୍ରି ହେଉଛି। ଦରଦାମ ଆକାଶଛୁଆଁ ଥିଲେ ମଧ୍ୟ ଗୃହିଣୀମାନେ ନିଜ ସାଧ୍ୟମତେ କିଣାକିଣି କରୁଛନ୍ତି।

ଅନ୍ୟପଟେ ଶଙ୍ଖା, ସିନ୍ଦୂର, ସାଲୁକନା, ନାଲିଚୂଡ଼ି, ବ୍ରତ ଓ କାଠପାନିଆ ଭଳି ପୂଜା ସାମଗ୍ରୀ ପ୍ୟାକେଟର ଚାହିଦା ବେଶ୍ ଅଧିକ ରହିଛି। ପାଗ ଅନୁକୂଳ ଥିବାରୁ ଚଳିତ ବର୍ଷ ଭଲ ଦୁଇ ପଇସା ରୋଜଗାର ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି।