ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋରନଗର ଓ ତାଳଚେର ବ୍ଲକରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। କିଶୋରନଗର ବ୍ଲକରେ ୮୩.୮ ପ୍ରତିଶତ ମତଦାନ ହୋଇଥିବା ବେଳେ ତାଳଚେର ବ୍ଲକରେ ୭୯ ପ୍ରତିଶତ ମତଦାନ ହୋଇଛି। ଏହି ୨ଟି ବ୍ଲକରେ ମୋଟ ୫୮୯ଟି ବୁଥରେ ମତଦାନ ହୋଇଥିଲା। କିଶୋରନଗର ବ୍ଲକରେ ୨୮୪ଟି ବୁଥ୍ ଓ ତାଳଚେର ବ୍ଲକରେ ୩୦୫ଟି ବୁଥର ଭୋଟ ବାକ୍ସ ଗୁଡ଼ିକ ସେମାନଙ୍କ ଷ୍ଟ୍ରଙ୍ଗ ରୁମରେ ପହଞ୍ଚି ଯାଇଛି। ଉଭୟ ବ୍ଲକରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। କୌଣସିଠାରେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜି ନାହିଁ ବୋଲି ଏସ୍ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି। କିଶୋରନଗର ବ୍ଲକର ୩ଟି ଜିଲ୍ଲାପରିଷଦ ଜୋନର ୨୩ଟି ଗ୍ରାମପଞ୍ଚାୟତ ଓ ୨୮୪ଟି ୱାର୍ଡ଼ରେ ଜିଲ୍ଲାପରିଷଦ ଜୋନ୍ ପାଇଁ ୬୨୬ ଜଣ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଭୋଟଗ୍ରହଣ ହୋଇଛି। ସେହିଭଳି ତାଳଚେର ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନର ୪୩ଟି ଗ୍ରାମପଞ୍ଚାୟତ ଓ ୩୦୫ ୱାର୍ଡର ଜିଲ୍ଲାପରିଷଦ ଜୋନ୍ ପାଇଁ ୯୨୪ ଜଣ ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପାଇଁ ଭୋଟ ଗ୍ରହଣ ହୋଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା। ଭୋଟ ଦେବାପାଇଁ ବୁଥ୍ ଗୁଡ଼ିକରେ ଲମ୍ବା ଲାଇନ୍ ଲାଗି ରହିଥିଲା। ଉଭୟ ବ୍ଲକର ୧୫୫୦ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ବନ୍ଦ ହୋଇ ରହିଛି।