ଅନୁଗୋଳ: ସେଦିନ ଥିଲା ଜୁନ୍ ୭ ତାରିଖ, ୧୯୯୯ ମସିହା। ଭାରତ ପାକ ସୀମାରେ କାର୍ଗିଲ ଓ ଦ୍ରାସ ସେକ୍ଟରରେ ଘମାଘୋଟ ଯୁଦ୍ଧ ଚାଲିଥାଏ। ସମୟ ପାହାନ୍ତା ପହର। ରାତିର ଅନ୍ଧକାର ମଧ୍ୟରେ ଗୁଳି ଗୋଳା ବିନିମୟରେ ଅଚଳ ହୋଇ ପଡ଼ିଥିଲା ଭାରତୀୟ ସୈନିକଙ୍କ ସିଗ୍ନାଲ ସିଷ୍ଟମ। ଏତିକିବେଳେ କଣ୍ଟ୍ରୋଲ ରୁମରେ ଥିବା ଲାନ୍ସ ନାୟକ ମାନସ ରଞ୍ଜନ ସାହୁଙ୍କୁ ଡାକରା ଆସିଲା। କାରଣ ସେ ଥିଲେ ସିଗ୍ନାଲ ଅପରେଟର। ମାନସ ମରାମତି କାମ ଆରମ୍ଭ କରିଛନ୍ତି। କାମ ସରିବାକୁ ଆଉ ଅଳ୍ପ ସମୟ ଅଛି। ହଠାତ୍ ପାକିସ୍ତାନୀ ସେନା ଗୋଳା ବର୍ଷଣ କଲେ। ସେ ଗୋଳା ଲକ୍ଷ୍ୟ ଭ୍ରଷ୍ଟ ହେଲା ନାହିଁ। ସିଧା ମାନସ ଏବଂ ତାଙ୍କ ଟିମ୍ ଉପରେ ପଡ଼ିଲା। ସେଇଠି ସମସ୍ତେ ସହିଦ ହୋଇଗଲେ।
ମାନସ ଅନୁଗୋଳ ପୁରୁଣାଗଡ଼ ଗାଁ ବାସିନ୍ଦା। ପିଲାବେଳେ କହୁଥିଲେ ଆର୍ମିରେ ମିଶିବି ଦେଶ ମାଟିର ସେବା କରିବି। ତାଙ୍କ ସେ ସ୍ୱପ୍ନ ସତେ ଯେମିତି ସତ ହେଇଗଲା। ତାଙ୍କ ମର ଶରୀର ଅନୁଗୋଳ ଆସିବା ବେଳେ ହଜାର ହଜାର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରତିବର୍ଷ ତାଙ୍କରି ସ୍ମୃତିରେ ଜୁଲାଇ ୨୬ କାର୍ଗିଲ ବିଜୟ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦ୍ରାସରେ କାର୍ଗିଲ ୱାର ମେମୋରିଆଲରେ ତାଙ୍କ ନାଁ ଖୋଦିତ ହୋଇଛି। ମାନସ ତୁମକୁ କୋଟି କୋଟି ସଲାମ। ତୁମେ ଆମର ଗର୍ବ ତୁମେ ଅମର।