ଅନୁଗୋଳ: ପାଲଲହଡ଼ା ଉପଖଣ୍ଡରେ ଓଡ଼ିଶାର ୭ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଅଟ୍ଟାଳିକାର ଭୂମିପୂଜନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ସେ ପାଲଲହଡ଼ାରେ ଅବସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟ ପରିସରରେ ଅସ୍ଥାୟୀ କ୍ୟାମ୍ପସ ଉନ୍ମୋଚନ କରିବା ସହ ନୂତନ ଅଟ୍ଟାଳିକା ପାଇଁ ଭୂମିପୂଜନ ମଧ୍ୟ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଅଟ୍ଟାଳିକା ନିର୍ମାଣ ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି। ଏହା ଦ୍ୱାରା ପାଲଲହଡ଼ା ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ପାଇବେ।
ଏହା ସହ ପାଲଲହଡ଼ାରେ ପ୍ରାୟ ୩.୬୫ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭୂମିପୂଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଲେ ଯେ, ସମାଜର ଶେଷ ଧାଡ଼ିରେ ଥିବା ବିଦ୍ୟାର୍ଥୀମାନଙ୍କୁ ରୋଜଗାରଭିତ୍ତିକ, ଦକ୍ଷତା ଆଧାରିତ ଏବଂ ବ୍ୟବସାୟ ଭିତ୍ତିକ ପାଠପଢ଼ା ପ୍ରଦାନ କରିବାକୁ ସମସ୍ତେ ମିଳିତ ପ୍ରୟାସ କରିବା ଉଚିତ୍। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର, କେଭିଏସ ର ଜଏଣ୍ଟ କମିଶନର ପି.ବି.ଏସ୍ ଉଷା, ଡେପୁଟି କମିଶନର ସର୍ଦ୍ଦାର ସିଂହ ଚୌହାନ, ଜିଲ୍ଲା ପରିଷଦ ସିଇଓ ଦେବଦତ୍ତ ମହନ୍ତ, ପାଲଲହଡ଼ା ଉପଜିଲ୍ଲାପା ରବୀନ୍ଦ୍ର କୁମାର ପଟେଲ, ବିଡ଼ିଓ ନିଶାନ ମିଶ୍ର ଏବଂ ତହସିଲଦାର ଆକାଂକ୍ଷା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।