ମୁଖ୍ୟ ଖବର

୧୦ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ

By Angul TV Bureau

June 06, 2026

ଅନୁଗୋଳ: ତାଳଚେର ଉପଖଣ୍ଡ କଳମଛୁଇଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଶୁକ୍ରବାର ଦିନ ୧୦ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପଗୁଡ଼ିକୁ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି।

ଉଦଘାଟିତ ହୋଇଥିବା ୧୦ଟି ସ୍ଥାନ ହେଉଛି ଗୋପବନ୍ଧୁ ମାନବ କଲ୍ୟାଣ ସମିତି, ବୁଢ଼ାବୂରୀ ସାହି ଜଗନ୍ନାଥ ମନ୍ଦିର, କଳମଛୁଇଁ ହରିଜନ ସାହି, କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟ, କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋଲଡ଼ା ହରିଜନ ସାହି, ମଝିକା ନରହରିପୁର ବିଦ୍ୟାଳୟ, ନରହରିପୁର ସାହି, ତିଳେଇପଶି ଅଙ୍ଗନବାଡ଼ି ଓ ଖଜୁରିଆ ସାହି।

ଏହି ଉଦଘାଟନୀ ଉତ୍ସବରେ ତାଳଚେର ବ୍ଲକ ଉପାଧ୍ୟକ୍ଷା ଆଞ୍ଚଲ ପ୍ରଧାନ ଏବଂ କଳମଛୁଇଁ ପଞ୍ଚାୟତ ସରପଞ୍ଚ ଅନିଲ କୁମାର ପ୍ରଧାନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ସ୍ଥାନୀୟ ଜନପ୍ରତିନିଧି, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ। ଉଦଘାଟନ ଅବସରରେ ବିଧାୟକ ଶ୍ରୀ ପ୍ରଧାନ କହିଲେ, “ଗ୍ରୀଷ୍ମ ଦିନେ ଶୁଦ୍ଧ ଥଣ୍ଡା ପାଣି ପ୍ରତ୍ୟେକ ଲୋକଙ୍କ ମୌଳିକ ଆବଶ୍ୟକତା। ବିଶେଷକରି ସ୍କୁଲ ପିଲା, ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ଅଙ୍ଗନବାଡ଼ିର କୁନି କୁନି ପିଲାମାନେ ଉପକୃତ ହେବେ। ଏହି ୧୦ଟି ପ୍ରକଳ୍ପ ଦ୍ୱାରା କଳମଛୁଇଁ ପଞ୍ଚାୟତବାସୀଙ୍କ ବହୁଦିନର ଶୁଦ୍ଧ ପାନୀୟ ଜଳ ସମସ୍ୟା ଦୂର ହେବ। ଆଗାମୀ ଦିନରେ ଆହୁରି ଅନେକ ଜନହିତକର କାର୍ଯ୍ୟ କରାଯିବ।” ସ୍ଥାନୀୟ ଲୋକେ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ କୃତଜ୍ଞତା ଜଣାଇଛନ୍ତି।