ଅନ୍ୟାନ୍ୟ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ମହିଳା ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍ ରହିଛି ପୋଲିସ ? କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଦାବି

By Angul TV Bureau

August 27, 2022

ଅନୁଗୁଳ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଗତ ସୋମବାର ଶାସକ ଦଳର ପୋଷାକ ପିନ୍ଧି କିଛି ଯୁବକ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାକୁ ଦୃଢ଼ ପ୍ରତିବାଦ କରିଛି ବିଜେପି। ଏନେଇ ମହିଳା ସରପଞ୍ଚ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏବେ ଯାଏଁ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ। ଏଣୁ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଦାବି କରିଛି ବିଜେପି। ନଚେତ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୨ ଅଗଷ୍ଟ ସୋମବାର ଦିନ କିଶୋରନଗର ବ୍ଲକ୍ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଚାଲିଥିଲା। ଏହି ସମୟରେ ବ୍ଲକ୍ ପରିସରରେ ଶାସକ ଦଳର ପୋଷାକ ପିନ୍ଧି ଟାପୁରୁଶିଙ୍ଗାର ବୀରକିଶୋର ପ୍ରଧାନ ଓରଫ କାଳିଆ ହଣ୍ଡପା ପଞ୍ଚାୟତର ମହିଳା ସରପଞ୍ଚ ରଶ୍ମିତା ପ୍ରଧାନଙ୍କୁ ଚାନ୍ଦା ନଦେବାରୁ ଇଟାରେ ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା। ଏ ନେଇ ସରପଞ୍ଚ କିଶୋରନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।

ଏହାକୁ ବିରୋଧ କରି ଶୁକ୍ରବାର ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ କୁମାର ସାହୁଙ୍କ ସମେତ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ କିଶୋରନଗର ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଶାସକ ଦଳର ପୋଷାକ ପିନ୍ଧିଥିବାରୁ କୌଣସି ଚାପ ରହିଥିବା ନେଇ ସନ୍ଦେହ କରାଯାଉଛି। ଅନ୍ୟପଟେ ସପ୍ତାହେ ଭିତରେ ଅଭିଯୁକ୍ତକୁ ଗିରଫ କରା ନଗଲେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛି ବିଜେପି।

ଆଲୋଚନା ବେଳେ ବରିଷ୍ଠ ନେତା ହୃଦାନନ୍ଦ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡଃ ଅଲେଖ ପ୍ରଧାନ, ରତ୍ନାକର ପ୍ରଧାନ, ସ୍ଵୟଂମ୍ବର ପ୍ରଧାନ, ବାନାମ୍ବର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ସୁବୋଧ ବେହେରା, ଶରତ ଦାସ, ସନ୍ତୋଷ ଦାସ, ଉଦୟ ପ୍ରଧାନ, କୁମୁଦ ପ୍ରଧାନ, ସରୋଜ କୁମାର ସାହୁ, ଜିତେନ୍ଦ୍ର ସାହୁ, ନିରଞ୍ଜନ ସାହୁ, ଗୋକୁଳା ବାଘ, ମୋତିଲାଲ ପ୍ରଧାନ, ଅଜିତ ପ୍ରଧାନ, ବାବ୍ରୁବାହାନ ସେଠ ପ୍ରମୁଖ ଉପସ୍ଥିତ ଥିଲେ।