ସ୍ୱତନ୍ତ୍ର

ଭାରତର ପ୍ରଥମ ଏସି ଟ୍ରେନ୍‌

By Angul TV Bureau

February 03, 2022

ଅନୁଗୁଳ:ଭାରତୀୟ ରେଲକୁ ଭାରତର ଜୀବନରେଖା କୁହାଯାଏ। ଭାରତୀୟ ରେଳବାଇ ଏସିଆର ଦ୍ବିତୀୟ ବୃହତ୍ତମ ରେଳ ନେଟୱର୍କ। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଦେଶରେ ରେଳରେ ଯାତ୍ରା କରିଥାନ୍ତି। ତେବେ ଭାରତର ପ୍ରଥମ ଏସି ଟ୍ରେନ୍‌ କେବେ ଆରମ୍ଭ ହୋଇଥିଲା ଏବଂ ସେତେବେଳ ଏସି ବଗିଗୁଡ଼ିକୁ କେମିତି ଥଣ୍ଡା ରଖାଯାଉଥିଲା, ଏହାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି। ଭାରତର ପ୍ରଥମ ଏସି ଟ୍ରେନ୍ ୧୯୨୮ ମସିହା ସେପ୍ଟେମ୍ବର ୧ ତାରିଖରେ ଆରମ୍ଭ ହୋଇଥିଲା। ଏହାର ନାମ ଥିଲା ପଞ୍ଜାବ ଏକ୍ସପ୍ରେସ୍‌। ୧୯୩୪ ମସିହାରେ ଏଥିରେ ଏସି କୋଚ୍‌ ଯୋଡ଼ା ଯିବା ପରେ ଏହାର ନାମ ବଦଳାଇ ‘ଫ୍ରଣ୍ଟ୍ରିୟର୍‌ ମେଲ୍‌’ ରଖାଯାଇଥିଲା। ବର୍ତ୍ତମାନ ସମୟରେ ଏସି କୋଚ୍‌ ଗୁଡ଼ିକୁ ଥଣ୍ଡା ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି। କିନ୍ତୁ ସେହି ସମୟରେ ଏସି ବଗିଗୁଡ଼ିକୁ ଥଣ୍ଡା ରଖିବା ପାଇଁ ବଡ଼ ବଡ଼ ବରଫ ଖଣ୍ଡଗୁଡ଼ିକୁ ବ୍ୟବହାର କରାଯାଉଥିଲା। ଏସି କୋଚ୍‌ ଗୁଡ଼ିକର ତଳ ଓ ଉପର ଭାଗରେ ତିଆରି ହୋଇଥିବା ବଡ଼ ବଡ଼ ବାକ୍ସ ଭିତରେ ଏହି ବରଫ ଖଣ୍ଡଗୁଡ଼ିକୁ ରଖାଯାଉଥିଲା ଏବଂ ତା’ପରେ ପଙ୍ଖା ଲଗାଇ ଦିଆଯାଉଥିଲା।

ଏହି ପଙ୍ଖା ସାହାଯ୍ୟରେ ଏସି ବଗିଗୁଡ଼ିକ ଥଣ୍ଡା ରହୁଥିଲା। ଭାରତର ଏହି ପ୍ରଥମ ଏସି ଟ୍ରେନ୍‌ ମୁମ୍ବାଇରୁ ଆଫଗାନିସ୍ତାନର ସୀମା ପର୍ଯ୍ୟନ୍ତ ଯାଉଥିଲା। ଏହି ଟ୍ରେନ୍‌ରେ ଇଂରେଜ ଅଧିକାରୀଙ୍କ ସହିତ ସ୍ବାଧୀନତା ସଂଗ୍ରାମୀମାନେ ମଧ୍ୟ ଯାତ୍ରା କରୁଥିଲେ। ଏହି ଟ୍ରେନ୍‌ ଦିଲ୍ଲୀ, ପଞ୍ଜାବ ଓ ଲାହୋର୍‌ ରାସ୍ତା ଦେଇ ୭୨ ଘଣ୍ଟାରେ ପେସୱାରରେ ପହଞ୍ଚୁଥିଲା। ବିଭିନ୍ନ ଷ୍ଟେସନ୍‌ରେ ଟ୍ରେନ୍‌ରୁ ତରଳି ଯାଉଥିବା ବରଫକୁ ବାହାର କରି ଦିଆଯାଉଥିଲା ଓ ନୂଆ ବରଫକୁ ରଖାଯାଉଥିଲା। ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଏହି ଟ୍ରେନ୍‌ରେ ଯାତ୍ରା କରିଥିଲେ। ‘ଫ୍ରଣ୍ଟିୟର୍‌ ମେଲ୍‌’ ସମ୍ପର୍କରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଏହା ସଠିକ୍‌ ସମୟରେ ଚାଲୁଥିଲା। ଟ୍ରେନ୍‌ କୌଣସି କାରଣରୁ ବିଳମ୍ବ ହେଲେ ଏଥିପାଇଁ ଡ୍ରାଇଭର୍‌ଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଉଥିଲା। ୧୯୪୦ ମସିହା ବେଳକୁ ଏହି ଟ୍ରେନ୍‌ରେ ୬ଟି କୋଚ୍‌ ଥିଲା ଏବଂ ଏଥିରେ ପାଖାପାଖି ୪୫୦ ଜଣ ଯାତ୍ରା କରୁଥିଲେ। ସ୍ବାଧୀନତା ପରେ ଏହା ମୁମ୍ବାଇରୁ ଅମୃତସର ପର୍ଯ୍ୟନ୍ତ ଯାଉଥିଲା। ୧୯୯୬ରେ ଏହି ଟ୍ରେନ୍‌ର ନାମ ବଦଳାଇ ‘ଗୋଲଡେନ୍‌ ଟେମ୍ପଲ୍‌ ମେଲ୍‌’ ରଖାଗଲା।