ମୁଖ୍ୟ ଖବର

୭୮ ତମ ଜିଲ୍ଲା ସ୍ତରୀୟ ସ୍ୱାଧନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

By Sanjeeb Biswal

August 05, 2024

ଅନୁଗୁଳ: ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସକୁ ପୂର୍ବ ବର୍ଷ ଗୁଡିକ ଭଳି ମହା ସମାରୋହରେ ପାଳନ କରାଯିବା ନିମନ୍ତେ ଜିଲ୍ଲାପାଳ ଅଦ୍ଦାଲ୍ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କେ ଶ୍ରବଣ କୁମାର ସଭାପତିଙ୍କ ସମେତ ସଭାରେ ଉପସ୍ଥିତ ଥ‌ିବା ସମସ୍ତ ସଦସ୍ୟା ଓ ସଦସ୍ୟମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଗତ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଏହି ଉତ୍ସବକୁ ମହା ସମାରୋହରେ ପାଳନ କରିବା ପାଇଁ ଉପସ୍ଥିତ ଥ‌ିବା ସମସ୍ତ ସଦସ୍ୟା ଓ ସଦସ୍ୟମାନଙ୍କୁ ଅଧ୍ୟକ୍ଷ ସମ୍ବୋଧନ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ବାଧୁନତା ଦିବସର ପ୍ରତ୍ୟୁଷରୁ ସହରରେ ଡାକବାଜୀ ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ କରାଯିବ। ପୂର୍ବାହ୍ନ ୬ ଘଟିକାରେ ପ୍ରଭାତ ଫେରୀ, ୭ ଘଟିକା ୩୦ ମିନିଟ୍ ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଘରୋଇ କୋଠାବାଡିରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବାହ୍ନ ୯ ଘଟିକା ୧୫ ମିନିଟ୍ ସମୟରେ ପିଟିସି ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ ।

ଏହି ଦିବସ ଉପଲକ୍ଷେ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବକ୍ତୃତା, ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଗଲା । ଗତ ହାଇସ୍କୁଲ ସାର୍ଟିଫିକେଟ ପରିକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଷ ହୋଇଥ‌ିବା ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ଗତ ସିବିଏସ୍‌ଇ ଓ ଆଇସିଏସ୍ଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଷ ହୋଇଥ‌ିବା ଜଣେ ଲେଖା ଛାତ୍ର ଓ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିର କରାଗଲା । ପିଟିସି ପଡିଆ ଠାରେ ଅଗଷ୍ଟ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ ।

ଉତ୍ସବ ଦିନ‌ ସନ୍ଧ୍ୟା ସମୟରେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି । ଉତ୍ସବ ଦିବସ ସହ ଜଡିତ ବିଭିନ୍ନ ଅନୁଷ୍ଠାନ|ବିଭାଗ ନିଜ ନିଜର ଦାୟିତ୍ବ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୋଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତିଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିଳ୍ପ ସଂସ୍ଥାମାନଙ୍କର ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି, ସ୍ବେଛାସେବୀ, ବୁଦ୍ଧିଜୀବି, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।