ମୁଖ୍ୟ ଖବର

ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ

By Angul TV Bureau

October 31, 2026

ଅନୁଗୋଳ: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୪୨ତମ ବଳିଦାନ ଦିବସ ସ୍ଥାନୀୟ କଂଗ୍ରେସ ଭବନଠାରେ ପାଳିତ ହୋଇଯାଇଛି।ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ତାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ବକ୍ତାମାନେ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ କାର୍ଯ୍ୟଶୈଳୀ ଓ ଦେଶ ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ‘ଇନ୍ଦିରା ଗାନ୍ଧୀ ଦେଶର ସମସ୍ତ ବ୍ୟାଙ୍କକୁ ଜାତୀୟକରଣ କରି ଜନସେବାରେ ବିନିଯୋଗ କରିଥିଲେ। ଦେଶର ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତିକୁ ଅନୁଧ୍ୟାନ କରି ସେ ବହୁ ଜନହିତକାରୀ ଯୋଜନା ପ୍ରଣୟନ କରିଥିଲେ ଏବଂ ‘ଗରିବୀ ହଟାଓ’ ସ୍ଲୋଗାନ ଦେଇ ଗରିବ ହଟାଇବା ପାଇଁ ପୁରପଲ୍ଲୀରେ ବହୁ ଉପାଦେୟ ଯୋଜନା କାର୍ଯ୍ୟକାରୀ କରିଥିଲେ। ଆଜି କିଛି ନିନ୍ଦୁକ କଂଗ୍ରେସ ଦେଶ ପାଇଁ କଣ କରିଛି ବୋଲି ପ୍ରଶ୍ନ କରୁଛନ୍ତି, ସେମାନେ ଇନ୍ଦିରାଜୀଙ୍କ ବୈଦେଶିକ, ଅର୍ଥନୈତିକ ଓ ସାମାଜିକ

କାର୍ଯ୍ୟଶୈଳୀକୁ ଦେଖିଲେ ସହଜରେ ଅନୁମେୟ କରିପାରିବେ’।ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ଏସସି ସେଲର ସାଧାରଣ ସମ୍ପାଦକ ନୀଳକଣ୍ଠ ନାଏକ, ଜିଲ୍ଲା କଂଗ୍ରେସ ଉପସଭାପତି ତଥା ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ଜିଲ୍ଲା ଆଇନ ସେଲର ଅଭିଷେକ ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ ମାଝୀ, ଜିଲ୍ଲା କଂଗ୍ରେସ ସମ୍ପାଦକ ସଂଗ୍ରାମ ବେହେରା, ଅବିନାଶ ଦଳବେହେରା, ଦୀପକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।