ମୁଖ୍ୟ ଖବର

ଅନୁଗୁଳରେ କମିବ ମାତୃ ଓ ଶିଶୁ ମୃତ୍ୟୁ ହାର: ଜେଏସପି ଫାଉଣ୍ଡେସନ ପକ୍ଷରୁ “ସ୍ପର୍ଶ” ପ୍ରକଳ୍ପର ଉଦଘାଟନ କଲେ ଶିଳ୍ପ ମନ୍ତ୍ରୀ

By Angul TV Bureau

August 16, 2023

ଅନୁଗୁଳ: ଜେଏସପି ଫାଉଣ୍ଡେସନ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ମଙ୍ଗଳବାର ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ “ସ୍ପର୍ଶ” ଉଦଘାଟିତ ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦେବ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ବିଶେଷକରି ସ୍ବାସ୍ଥ୍ୟ ସଚେତନତା କ୍ଷେତ୍ରରେ କମ୍ପାନୀର ସହଭାଗିତା ଉଲ୍ଲେଖନୀୟ ବୋଲି ପ୍ରକାଶ କରିଥିଲେ। ଏ ଅବସରରେ ସେ ଜେଏସପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ଧନ୍ୟବାଦ ଦେବା ସହ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଏହି ପ୍ରକଳ୍ପ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଅନୁକରଣୀୟ ବୋଲି କହିଥିଲେ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସିଏସଆର୍ ବିଭାଗର ସଭାପତି ତଥା ଗ୍ରୁପ ହେଡ୍ ପ୍ରଶାନ୍ତ କୁମାର ହୋତା ଯୋଗ ଦେଇ ସ୍ପର୍ଶ ପ୍ରକଳ୍ପ ଉପରେ ସବିଶେଷ ତଥ୍ୟ ରଖିଥିଲେ। ଜିଲ୍ଲାରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର କମାଇବା ପାଇଁ ଏହି ପ୍ରକଳ୍ପ ଉପଯୋଗୀ ବୋଲି ସେ କହିଥିଲେ। ଏହି ପ୍ରୋଜେକ୍ଟରେ ଜିଲ୍ଲାର ୨୦୦ ମେଡ଼ିକାଲ ସବ ସେଣ୍ଟରକୁ ଡିଜିଟାଲ ଡାଇଗ୍ନୋଷ୍ଟିକ୍ ଡିଭାଇସ୍ ଯୋଗାଇ ଦିଆଯିବ। ଏହି କିଟ୍ ରେ ଡିଜିଟାଲ ରକ୍ତଚାପ ମାପକ ଯନ୍ତ୍ର, ଗର୍ଭ ପରୀକ୍ଷଣ ଯନ୍ତ୍ର, ବ୍ଲୁ ଟୁଥ ସଂଯୁକ୍ତ ଓଜନ ଯନ୍ତ୍ର, ହାର୍ଟ ରେଟ ମନିଟର, ଡିଜିଟାଲ ଗ୍ଲୁକୋ ମିଟର ଆଦି ରହିଛି। ଏଥିପାଇଁ ପ୍ରାୟ ତିନି କୋଟି ଟଙ୍କା ବ୍ୟୟ କରାଯାଇଛି l ଘର ଘର ବୁଲି ଗର୍ଭବତୀଙ୍କ ସ୍ବାସ୍ଥ୍ୟ ସମସ୍ୟା ବୁଝୁଥିବା ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଏହି କିଟ୍ ଅଧିକ କାମରେ ଆସିବ। ଗର୍ଭବତୀ ମହିଳାଙ୍କ ଏହି ରିପୋର୍ଟକୁ ଡିଜିଟାଲ ଡାଟାବେସ୍ ରେ ରଖାଯାଇ କୌଣସି ଗର୍ଭବତୀ ମହିଳାଙ୍କ କୌଣସି ସମସ୍ୟା ଥିଲେ ତାକୁ ପରୀକ୍ଷା କରାଯାଇ ତତ୍କାଳ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯିବ। ଯେଉଁମାନେ ଏହି କିଟ୍ ବ୍ୟବହାର କରିବେ ସେମାନଙ୍କୁ ଜେଏସପି ପକ୍ଷରୁ ତାଲିମ ମଧ୍ୟ ଦିଆଯାଇଛି। ସେମାନେ ଗର୍ଭବତୀ ମହିଳା ମାନଙ୍କ ସମସ୍ତ ତଥ୍ୟ ମୋବାଇଲ ଆଣ୍ଡ୍ରଏଡ ସେଟ୍ ରେ ଅପଲୋଡ଼ କଲେ ତାହା ମୁଖ୍ୟ ସିଷ୍ଟମକୁ ଆସିପାରିବ। ଫଳରେ ସନ୍ତାନ ପ୍ରସବ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକର ଉପଯୁକ୍ତ ନିଦାନ କରାଯାଇ ଚିକିତ୍ସା ପରାମର୍ଶ ଦିଆଯାଇ ପାରିବ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସl ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ଯୋଗଦେଇ ପ୍ରକଳ୍ପର ସଫଳତା କାମନା କରିଥିଲେ। ଏହି ସମାରୋହରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।