ମୁଖ୍ୟ ଖବର

୧୦ ଦିନ ହେଲାଣି ବାଳାଶ୍ରମରୁ ଅନ୍ତେବାସୀ ଗାୟବ, ଟେର ପାଉନି ପୋଲିସ

By Angul TV Bureau

May 15, 2023

ଆଠମଲ୍ଲିକ : ୧୦ ଦିନ ହେଲାଣି ଆଠମଲ୍ଲିକ ବାଳାଶ୍ରମର ଜଣେ ଅନ୍ତେବାସୀ ଗାୟବ ଅଛନ୍ତି। ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡା ପଞ୍ଚାୟତ ମହୀଧରପୁର ଗ୍ରାମର ସ୍ବର୍ଗତ ନରୋତ୍ତମ ନାୟକଙ୍କ ପୁଅ ଚନ୍ଦ୍ରମଣି ନାୟକ (୧୮) ଗତ ଶୁକ୍ରବାର ଠାରୁ ବାଳାଶ୍ରମରୁ କୁଆଡେ ଚାଲିଯାଇଛନ୍ତି। ଇତି ମଧ୍ୟରେ ୧୦ ଦିନ ବିତିଥିଲେ ବି ତାଙ୍କ ପତ୍ତା ମିଳିନାହିଁ। ଏ ନେଇ ବାଳାଶ୍ରମ ଅଧୀକ୍ଷକ ଦାୟିତ୍ୱରେ ଥିବା କାଉନସିଲର ବିଷ୍ଣୁପ୍ରିୟା ବେହେରା ଆଠମଲ୍ଲିକ ଥାନାରେ ଏତଲା ଦେଇଥିଲେ। ପୋଲିସ ପ୍ରାଥମିକ ତଦନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନ୍ତେବାସୀର ପତ୍ତା ମିଳିନଥିବାରୁ ଉଦବେଗ ପ୍ରକାଶ ପାଇଛି।

ଫେରାର ହୋଇଥିବା ଚନ୍ଦ୍ରମଣି ଆଠମଲ୍ଲିକ ମହାବିଦ୍ୟାଳୟରେ ଯୁକ୍ତଦୁଇ ପରୀକ୍ଷା ଦେଇଛନ୍ତି। ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ବୃଦ୍ଧା ମା’ ବାରମ୍ବାର ବାଳାଶ୍ରମକୁ ଆସି ପୁଅକୁ ଖୋଜୁଥିବା ଜଣାଯାଇଛି। ବାଳାଶ୍ରମର ଢିଲା ସୁରକ୍ଷା ଓ ପ୍ରଶାସନିକ ଅବହେଳା ପାଇଁ ବାରମ୍ବାର ଏଭଳି ସମ୍ବେଦନଶୀଳ ଘଟଣା ଘଟୁଥିବା କୁହାଯାଉଛି।