ଅନୁଗୁଳ : ସାତକୋଶିଆ ଗଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବବିବିଧତା ପ୍ରତି ବିପଦ ସାଜିଥିବା ପ୍ଲାଷ୍ଟିକ ଆବର୍ଜନାକୁ ଦୂର କରିବା ପାଇଁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ପ୍ଲାଷ୍ଟିକର ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ବିଶେଷ କରି ବନିକେୟୀ ପୀଠ ଓ ଟିକରପଡା ଭଳି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡିକ ପ୍ରଦୂଷିତ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଅନୁଗୁଳର ସାମାଜିକ ଅନୁଷ୍ଠାନ ‘ସାଥୀ ପରିବାର’, ଆଠମଲ୍ଲିକର ‘ସମାଧାନ ଶିକ୍ଷାନିକେତନ’ ଏବଂ ‘ସେକେଣ୍ଡ ଲାଇଟ୍ ୟୁଥ୍ ଆସୋସିଏସନ’ ପକ୍ଷରୁ ମିଳିତ ଭାବେ “ପ୍ଲାଷ୍ଟିକମୁକ୍ତ ସାତକୋଶିଆ ରାମସର୍ ସାଇଟ୍” କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି।
ବିଶ୍ୱ ଜଳ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରାୟ ୧ କୁଇଣ୍ଟାଲ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇ ପୁନଃଚକ୍ରଣ ପାଇଁ ଆଠମଲ୍ଲିକ ସ୍ଥିତ କବାଡ଼ି କେନ୍ଦ୍ରକୁ ପଠାଯାଇଛି। ସାଥୀ ପରିବାରର ସଭାପତି ସିଦ୍ଧାର୍ଥ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ସଫେଇ ଅଭିଯାନରେ ବନ୍ତଳାର ନାରୀନେତ୍ରୀ ଲିପି ସାହୁ, ବିନୟ କୁମାର ପଟ୍ଟନାୟକ, ନରହରି ପ୍ରଧାନ, ପ୍ରଭାତ ନଳିନୀ କ୍ଷେତ୍ତୀଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେକେଣ୍ଡ ଲାଇଟ୍ ୟୁଥର ସଭାପତି ପ୍ରଦୀପ କୁମାର ସାହୁ, ସୌଭାଗ୍ୟ ସାହୁ ଏବଂ ସାଥୀ ପରିବାରର ଗୁରୁଦେବ ସାହୁଙ୍କ ସମେତ ସୌମ୍ୟରଞ୍ଜନ ଥମ୍ବ ଓ ସ୍ୱରୂପଦୀପ୍ ସିହ୍ନା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
ଆଗାମୀ ଦିନରେ ସାତକୋଶିଆକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ସହ ଏହାକୁ ଏକ ସୁଦୃଢ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନର ରୂପ ଦିଆଯିବ ବୋଲି ସାଥୀ ପରିବାରର ସମ୍ପାଦକ ସୁବ୍ରତ କୁମାର ସୂଚନା ଦେଇଛନ୍ତି। ଏଥିରେ ସ୍ଥାନୀୟ ଗ୍ରାମର ୟୁଥ୍ କ୍ଲବ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି, ଯାହାଦ୍ୱାରା ସାତକୋଶିଆର ପରିସଂସ୍ଥାକୁ ସୁରକ୍ଷିତ ରଖାଯାଇପାରିବ।