ମୁଖ୍ୟ ଖବର

ମଧ୍ୟାହ୍ନ ଭୋଜନ ଚାଉଳରୁ ବାହାରିଲା ପୋକ: ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରେ ଅଭିଭାବକଙ୍କ ଅସନ୍ତୋଷ, ତଦନ୍ତ ଦାବି

By Angul TV Bureau

November 04, 2026

ଅନୁଗୋଳ: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଣ ହେଉଥିବା ମଧ୍ୟାହ୍ନ ଭୋଜନ ଚାଉଳରୁ ପୋକ ବାହାରିବା ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି।

ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ଥିବା ଜଣାପଡ଼ିବା ପରେ ସେମାନେ ଏହାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଥିଲେ। ପରେ ଏ ସମ୍ପର୍କରେ ଅଭିଯୋଗ ଜଣାଇବାକୁ ଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବାରୁ ଜଣେ କାର୍ଯ୍ୟାଳୟ କର୍ମଚାରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ।

ତେବେ ଏତେ ପରିମାଣର ପୋକ ଲାଗିଥିବା ଚାଉଳକୁ କିପରି ବ୍ୟବହାର କରାଯିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଚାଉଳକୁ ଧୋଇ ସଫା କରି ବ୍ୟବହାର କରିବାକୁ କାର୍ଯ୍ୟାଳୟର ବଡ଼ବାବୁ ପରାମର୍ଶ ଦେଇଥିବା ଅଭିଭାବକମାନେ କହିଛନ୍ତି। ଏଭଳି ଉତ୍ତରକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଏହି ଅଭିଯୋଗ ଉପରେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ନଥିବାରୁ ଫୋନ୍‌ ଯୋଗେ ତାଙ୍କ ସହ ଯୋଗାଯୋଗ ଉଦ୍ୟମ ମଧ୍ୟ ସଫଳ ହୋଇନାହିଁ।

ଛାତ୍ରଛାତ୍ରୀଙ୍କ ଖାଦ୍ୟର ଗୁଣବତ୍ତା ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଏହି ଘଟଣା ଗୁରୁତର ପ୍ରଶ୍ନ ଉଠାଇଛି। ତେଣୁ ଚାଉଳର ମାନ ଯାଞ୍ଚ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହୋଇଛି।