ମୁଖ୍ୟ ଖବର

ଜାଲ ପ୍ରମାଣପତ୍ର ଦେଇଥିବା ଅଧ୍ୟାପକଙ୍କ ବିରୋଧରେ ଏତଲା ପାଇଁ ନିର୍ଦେଶ

By Swagatika Samantray

June 29, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ନିଜ ମାର୍କସିଟରେ ଜାଲିଆତି କରି ଚାକିରି କରିଥିବା ଅଭିଯୋଗ ହୋଇଛି। ତେଣୁ ବିକାଶଙ୍କ ବିରୋଧରେ ବିରୋଧରେ ଥାନାରେ ଏତଲା ଦେବାକୁ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହା ସହିତ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ କହିଛି। ସୂଚନା ଯେ, ବିକାଶ ଚନ୍ଦ୍ର ମିଶ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ.ଏ. ମାର୍କସିଟ୍ ଓ ପ୍ରମାଣପତ୍ର ଦେଇ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଭାବେ ଚାକିରି କରିଥିଲେ। ତେବେ ସେ ଦେଇଥିବା ପ୍ରମାଣପତ୍ରରେ ଜାଲିଆତି ଥିବା ଅଭିଯୋଗ ଉଠିଥିଲା। ଏହା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ ଆସିଷ୍ଟାଣ୍ଡ ରେଜିଷ୍ଟ୍ରାର(ପରୀକ୍ଷା)ଙ୍କୁ ଏହାର ଯାଞ୍ଚ ପାଇଁ ଚିଠି ଲେଖାଯାଇଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ଶ୍ରୀ ମିଶ୍ର ଦାଖଲ କରିଥିବା ମାର୍କସିଟ୍ ଓ ପ୍ରମାଣପତ୍ରରେ ଜାଲିଆତି ହୋଇଛି। ସେ ଦୁଇଟି ବିଷୟରେ ମାର୍କ ବଢ଼ାଇ ଦେଇଥିଲାବେଳେ ସମୁଦାୟ ମାର୍କରେ ବି ଜାଲିଆତି କରିଛନ୍ତି। ବ୍ଲକ ଗ୍ରାଣ୍ଟରେ ଗ୍ରାଣ୍ଟ-ଇନ୍-ଏଡ୍ ପାଇବାକୁ ସେ ଏମିତି କାରସାଦି କରିଥିବା ଜଣାପଡ଼ିଛି। ଏହା ଏକ ଅପରାଧ ହୋଇଥିବାରୁ ତାଙ୍କ ବିରୋଧରେ ତୁରନ୍ତ ଏତଲା ଦେବାକୁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଏହାସହିତ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍ ପ୍ରକାଶ କରିଛନ୍ତି।