ଅନୁଗୋଳ: ସୁନା ଅଳଙ୍କାର ସଫା କରିବା ଆଳରେ ଠକେଇ ଓ ଲୁଟ୍ ଚଳାଇଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଦଳର ପର୍ଦ୍ଦାଫାସ କରିଛି ଅନୁଗୋଳ ପୋଲିସ। ଛେଣ୍ଡିପଦା ଓ କୋଶଳା ଅଞ୍ଚଳରେ ଘଟିଥିବା ଲୁଟ୍ ଘଟଣାରେ ପୋଲିସ ୨ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି।
ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଗତ ଅଗଷ୍ଟ ୨୬ ତାରିଖରେ ଛେଣ୍ଡିପଦା ଓ କୋଶଳା ଅଞ୍ଚଳର ଦୁଇ ଜଣ ମହିଳାଙ୍କୁ ସୁନା ସଫା କରିବା କହି ୪୦ ଗ୍ରାମର ସୁନାହାର ଲୁଟି ନେଇଥିଲେ ଦୁର୍ବୃତ୍ତ। ଗିରଫ ଅଭିଯୁକ୍ତମାନେ ହେଲେ ବିହାର କଟିହାରର ଚନ୍ଦନ କୁମାର ଦାସ, ଶ୍ରବଣ କୁମାର ସହ ଏବଂ ସହଯୋଗୀ ତାଳଚେରର କୌଶାର ଅଲି ଓ ପୁରୁଷୋତ୍ତମ ନାଏକ। ସେମାନଙ୍କ ନିକଟରୁ ୪ଟି ସୁନା ଚେନ୍, ଏକ ଆପାଚି ବାଇକ୍, ଦୁଇଟି ମୋବାଇଲ୍ ଓ ସୁନା ସଫା ପାଉଡର ଜବତ କରାଯାଇଛି। ଛେଣ୍ଡିପଦା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।