ଅନ୍ୟାନ୍ୟ

ଅର୍ନ୍ତଜାତୀୟ ଶିଶୁ ଓ କିଶୋର ଶ୍ରମିକ ନିରୋଧ ଦିବସ: ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ଅନୁଗୁଳ ପ୍ରଶାସନ

By Angul TV Bureau

June 12, 2023

ଅନୁଗୁଳ: ଶିଶୁ ଓ କିଶୋର ଶ୍ରମିକର ମୂଳୋତ୍ପାଟନ କରିବା ପାଇଁ ଅର୍ନ୍ତଜାତୀୟ ଶିଶୁ ଓ କିଶୋର ଶ୍ରମିକ ନିରୋଧ ଦିବସ ଅବସରରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ସଚେତନତା ଅଭିଯାନ ଶୋଭାଯାତ୍ରାକୁ ଆଜି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ ଆରମ୍ଭ କରିଛନ୍ତି। ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି, ସହକାରୀ ଶ୍ରମ ଅଧିକାରୀ ଦୀପ୍ତିମୟ ରାଉତ, ଚାଇଲ୍ ଲାଇନ କର୍ମକର୍ତ୍ତା ପ୍ରମୁଖ ଆଦି ଏହି ରାଲିରେ ଉପସ୍ଥିତ ଥିଲେ।

ଏହି ଶୋଭାଯାତ୍ରା ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ଓଡିଶାରୁ ଶିଶୁ ଶ୍ରମିକ ମୂଳୋତ୍ପାଟନ ଏହି ଶୋଭାଯାତ୍ରାର ମୂଳ ଲକ୍ଷ୍ୟ । ଏହି ଆଇନ ଖିଲାପକାରୀଙ୍କ ବିରୋଧରେ ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ସହିତ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ନିୟମ ରହିଛି ଏବଂ ଦ୍ବିତୀୟ ଥର ଖିଲାପକାରୀଙ୍କୁ ୩ବର୍ଷ ଜେଲ ଦଣ୍ଡ ସହିତ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ।

ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର ନିମନ୍ତେ ବିଭିନ୍ନ ଢାବା ,ହୋଟେଲ, ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ପ୍ରତିଷ୍ଠାନ ଇତ୍ୟାଦିରେ ୧ ମାସ ଧରି ଚଢାଉ ଚାଲିବ ଏବଂ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଯେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଶିଶୁ ଓ କିଶୋର ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ୍ ୧୯୮୬ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଆଜି ଅତିଥିମାନେ ମତ ଦେଇଛନ୍ତି।