ଅନୁଗୁଳ : ଅନୁଗୁଳ ଜିଲ୍ଲା ବଧିର ସଂଘ ତରଫରୁ ଅନ୍ତର୍ଜାତୀୟ ବଧିର ସପ୍ତାହ ପାଳିତ ହୋଇଛି। ଏ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମୂଳ ଓ ବଧିରଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲ। ବିଶ୍ଵ ବଧିର ସଂଘ ପକ୍ଷରୁ ପ୍ରଥମେ ଇଟାଲୀର ରାଜଧାନୀ ରୋମ୍ରେ ୧୯୫୮ ମସିହାରେ ଏହା ପାଳନ କରାଯାଇଥିଲା। ସେହି ଦିନଠାରୁ ବିଶ୍ଵ ବଧିର ସଂପ୍ରଦାୟ ପ୍ରତିବର୍ଷ ଏହି ସପ୍ତାହ ପାଳନ କରିଆସୁଛି। ଏ ଅବସରରେ କାନକୁ ଶୁଭୁନଥିବା ଦିବ୍ୟାଙ୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯାଇ ସେମାନଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରାଯାଏ।
ଅନ୍ତର୍ଜାତୀୟ ବଧିର ସପ୍ତାହରେ ବଧିର ବ୍ୟକ୍ତିଙ୍କର ଅଧିକାର କିପରି ପ୍ରସାରିତ ହୋଇପାରିବେ ସେ ଦିଗରେ ଉଦ୍ୟମ ହୁଏ ଏବଂ ନିର୍ଦ୍ଦିଷ୍ଟ ମାନବିକ ଅଧିକାର ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଆଜିର ବାର୍ଷିକ ସମ୍ମିଳନୀରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହା ଅନୁଗୁଳର ୧୦ତମ ବାର୍ଷିକ ବଧିର ସମ୍ମିଳନୀ ଥିଲା।
ଏହି ସମ୍ମିଳନୀରେ ଓଡିଶା ବଧିର ସଂଘର ଉପାଧ୍ୟକ୍ଷ ମନୋରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଗୁଳ ଜିଲ୍ଲା ବଧିର ସଂଘର ସଭାପତି ପର୍ଶୁରାମ ଦାଶ, ସମ୍ପାଦକ ବିଶ୍ବଜିତ୍ ହୋତା ଓ ଅର୍ନ୍ତନିବେଶି ଶିକ୍ଷା ସ୍ଵେଚ୍ଛାସେବୀ ସ୍ନେହଲତା ସେଠୀ, ଉପ ସଭାପତି ସନ୍ତୋଷ ବେହେରା ଓ ସାଂକେତିକ ଭାଷା ଉପସ୍ଥାପକ ବିଶ୍ୱଜିତ୍ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।