ମୁଖ୍ୟ ଖବର

ଆନ୍ତର୍ଜାତୀକ ବାଘ ଦିବସ: ଭାରତରେ ଅଛନ୍ତି ୨୯୬୭ ମହାବଳ ବାଘ

By Angul TV Bureau

July 29, 2022

ଅନୁଗୁଳ: ଆନ୍ତର୍ଜାତୀକ ବାଘ ଦିବସ ପାଳନ ଅବସରରେ ଅନୁଗୁଳ ବ୍ଲକ ଅନ୍ତର୍ଗତ ରନ୍ତଲେଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମର ଶୁକ୍ରବାର ଆୟୋଜନ କରାଯାଇଥିଲା।

ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତି(ନିୟୁଜ୍) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପ୍ରଧାନ ସଭାପତିତ୍ବ କରିଥିଲେ। ଅନ୍ୟ ମାନଂକ ମଧ୍ୟରେ ବନ୍ୟଜନ୍ତୁ ପ୍ରେମୀ ଅଶୋକ ଶତପଥୀ, ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପାଣିଗ୍ରାହୀ, ସମିତିର ସଂପାଦକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ବାଘ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରିଥିଲେ। ବାଘ ମାନଙ୍କର ସାମାଜିକ ସ୍ଥିତି, ବ୍ୟବହାରିକ ଜୀବନ ପ୍ରଣାଳୀ, ଖାଦ୍ୟ ପାନୀୟ, ବାସସ୍ଥଳୀ ଏବଂ ସେମାନଙ୍କ ପ୍ରତି ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ବାଘର ବାସସ୍ଥଳୀର ସୁରକ୍ଷା ଓ ଉନ୍ନତିକରଣ, ବାଘ ପ୍ରତି ଥିବା ଶିକାର ବିପଦର ପ୍ରତିରୋଧର ଉପାୟ ଉପରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ବାଘ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ବିଷୟରେ ଅଧିକ ଜାଣିବା ଏବଂ ସେମାନଙ୍କ ପ୍ରତି ସକରାତ୍ମକ ମନୋଭାବ ପୋଷଣ କରିବା ଉପରେ ପରାର୍ମଶ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଭାରତରେ ୫୩ ଗୋଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଘୋଷଣା ହୋଇ କାର୍ଯ୍ୟକାରୀ ହେଉଛି। ବାଘ ସୁରକ୍ଷା ଓ ପରିଚାଳନାରେ ସଫଳତାପ୍ରାପ୍ତ ହୋଇଛି ଭାରତ। ଯାହାଫଳରେ ୨୦୦୬ ମସିହାରେ ଭାରତର ବାଘ ସଂଖ୍ୟା ୧୪୪୧ ଥିବା ବେଳେ ୨୦୧୦ ବର୍ଷକୁ ୧୭୦୬, ୨୦୧୪ ବର୍ଷକୁ ୨୨୨୬ ଏବଂ ୨୦୧୮ ବର୍ଷ ବେଳକୁ ୨୯୬୭ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ସମୁଦାୟ ୧୪ଟି ରାଜ୍ୟରେ ବାଘ ଦେଖା ଯାଉଥିବା ବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬, କର୍ଣ୍ଣାଟକରେ ୫୨୪ ବାଘ ଥିବାର ଜଣାଯାଇଛି।

ଓଡିଶା ରାଜ୍ୟରେ ବାଘ ମାନଙ୍କ ପାଇଁ ଉପଯୋଗୀ ଜଙ୍ଗଲ ଓ ଆବାସସ୍ଥଳୀ ଥିଲେ ମଧ୍ୟ ବାଘ ମାନଙ୍କର ବଂଶ ବୃଦ୍ଧି ଆଶାଜନକ ନୁହେଁ ବୋଲି ଆଲୋଚନା କରାଯାଇଥିଲା। ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପରିବେଶୀୟ ଗୁରୁତ୍ବକୁ ଜାଣିବା ସହିତ ସଂରକ୍ଷଣ ଓ ପରିଚାଳନା ନେଇ ଆଲୋଚନା କରାଯାଇଥିଲା। ପରେ ବାଘ ସମ୍ବନ୍ଧୀୟ ଓପନ୍ କୁଇଜ୍ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। । ସମିତିର ସଂଯୋଜକ ଯଶୋବନ୍ତ ସାହୁ, ପ୍ରିୟବ୍ରତ ବେହେରା ଏବଂ ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ ଓ ସୁବ୍ରତ କୁମାର ସ୍ବାଇଁ ଆୟୋଜନରେ ସହଯୋଗ କରିଥିଲେ। ସ୍କୁଲର ସହକାରୀ ଶିକ୍ଷକ ଜିତେନ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।