ସ୍ୱତନ୍ତ୍ର

ସାହିତ୍ୟଠୁ ସଂସ୍କୃତି, ସଙ୍ଗୀତ; ଆଗଧାଡ଼ିରେ ମହିଳା

By Biswaranjan Pattnaik

March 08, 2021

ଅନୁଗୁଳୁ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ପ୍ରକୃତରେ ମହିଳାଙ୍କ ବିକାଶ ରାଷ୍ଟ୍ରୀୟ ବିକାଶର ଅନ୍ୟତମ ଅଂଶ ବିଶେଷ। ଏ ପରିପ୍ରେକ୍ଷୀରେ ଅନୁଗୁଳୁର ବହୁ ନାରୀ ପ୍ରତିଭା ଏ ମାଟି ପାଇଁ କାମ କରି ବହୁ ଗୌରବ ସାଉଁଟିଛନ୍ତି। ବର୍ତମାନ ପିଢ଼ିର ନାରୀ ପ୍ରତିଭାମାନଙ୍କ ମଧ୍ୟରେ ଯେ ଅଗ୍ରଗଣ୍ୟ, ସେ ହେଉଛନ୍ତି ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି। ବାଜି ରାଉତ ଛାତ୍ରାବାସ ଜରିଆରେ ଶତାଧିକ ଅନାଥ, ଅସହାୟ ଶିଶୁଙ୍କ ଲାଳନ ପାଳନ ଏବଂ ଶିକ୍ଷାଦାନ ଦିଗରେ ତାଙ୍କର ଅବଦାନ ଅତୁଳନୀୟ।ସାହିତ୍ୟ କ୍ଷେତ୍ରରେ ଡ଼. ଇନ୍ଦିରା ଦାଶ, ଡ଼. ରମା ମଞ୍ଜରୀ ସାହୁ ଲେଖନୀ ଚାଳନା କରି ଜିଲ୍ଲା ନୁହେଁ ରାଜ୍ୟ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଯୁବ ପ୍ରତିଭା ଆନିଶା ସିହ୍ନା ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜତୀୟ ଯୁବ ମହୋତ୍ସବ ସ୍ବର୍ଣ୍ଣ ପଦକ ଜିତିବା ସହ ଧଉଳି, କୋଣାର୍କ ମହୋତ୍ସବ ଭଳି ମଞ୍ଚରେ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରି ବହୁ ପ୍ରଶଂସା ସାଉଁଟିଛନ୍ତି। ସ୍ୱପ୍ନାରାଣୀ ସିହ୍ନା ମଧ୍ୟ ନୃତ୍ୟରେ ଆଇସିସିଆର୍ ଫେଲୋସିପ୍ ପାଇ ବିଦେଶରେ ଏବଂ ଭାରତରେ ବିଭିନ୍ନ ମଞ୍ଚରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି। ସିଲକା ସେଲୋନୀ ଜଣେ ଉଚ୍ଚ ଶିକ୍ଷିତ ଝିଅ ହୋଇ ସାପ ଉଦ୍ଧାର କରିବା ଭାଳି ଏକ ଦୁରୂହ ଵ୍ୟାପାରରେ ବିଶେଷତା ହାସଲ କରିଛନ୍ତି। ପ୍ରଜ୍ଞା ପ୍ରସ୍ମିତା ହୋତା ଓଡ଼ିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ଏହି ନାରୀ ପ୍ରତିଭା ମାନଙ୍କୁ ନେଇ ଅନୁଗୁଳୁ ଜିଲ୍ଲା ଗର୍ବିତ।