ଅନୁଗୋଳ: ସ୍ଥାନୀୟ ନୂଆ ଇଣ୍ଡୋର ଷ୍ଟାଡିୟମ୍ ହଲ୍ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ”କୁ ଆଧାର କରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସାମୁହିକ ଯୋଗାଭ୍ୟାସରେ ଯୋଗ ଦେଇ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ନିରୋଗ ଜୀବନ ପାଇଁ ଦୈନନ୍ଦିନ ଜୀବନରେ ଯୋଗ ଓ ପ୍ରାଣାୟାମକୁ ସାମିଲ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ସେହିପରି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ମନ ଓ ଶରୀରକୁ ସୁସ୍ଥ ରଖିବାରେ ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ଅଭୟ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଯୋଗାସନ ଅଭ୍ୟାସ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରାଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। ସମାଜରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଧନ୍ୟବାଦ ଅର୍ପଣ କରିଥିଲେ। ମିଳିତ ଜାତିସଂଘର ନିଷ୍ପତ୍ତି ଅନୁଯାୟୀ ୨୦୧୫ରୁ ପ୍ରତିବର୍ଷ ଜୁନ୍ ୨୧ରେ ବିଶ୍ୱବ୍ୟାପୀ ଏହି ଦିବସ ପାଳିତ ହୋଇଆସୁଛି।