ମୁଖ୍ୟ ଖବର

ମରିଗଲା ମାନବିକତା!

By Angul TV Bureau

August 26, 2026

ଅନୁଗୋଳ: ମରିଗଲା ମାନବିକତା! ଆଖି ଆଗରେ ଦଶମ ଶ୍ରେଣୀର ପିଲାଟିଏ ଛଟପଟ ହେଉଥିଲା, ଆଉ ଲୋକେ ବନିଯାଇଥିଲେ ଦେଖଣାହାରୀ। ସାହାଯ୍ୟ କରିବା ବଦଳରେ କେବଳ ଫଟୋ ଆଉ ଭିଡିଓ ସଂଗ୍ରହ ଚାଲିଥିଲା। ନିଜେ ଉଠି ସାହାଯ୍ୟ ମାଗୁଥିବା ସେ ନିରୀହ ପିଲାଟିର ଆଖିର ଲୁହ କାହାରିକୁ ତରଳାଇ ପାରିଲା ନାହିଁ? ୨୦ ମିନିଟ୍‌ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ସେ ହାରିଗଲା। ଏ ଦୃଶ୍ୟ କେବଳ ହୃଦୟ ବିଦାରକ ନୁହେଁ, ବରଂ ସମାଜର ମୃତ୍ୟୁ ଘୋଷଣା କରୁଛି। ଆଜିର ଏହି ନିଷ୍ଠୁର ଓ ସ୍ବାର୍ଥପର ଦୁନିଆରେ କୁଆଡ଼େ ହଜିଗଲା ଆମର ମଣିଷପଣିଆ? ସତରେ କ’ଣ ଆମ ଭିତରୁ ସବୁ ଦୟାମାୟା ଶେଷ ହୋଇଗଲା?

ଏ ଦୃଶ୍ୟ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ବଜାର ନିକଟରେ ଗତକାଲି ସଡ଼କ ଦୁର୍ଘଟଣା ବେଳର। ମୃତ ଛାତ୍ର ହେଲେ ତାଳଚେର ସିଙ୍ଗିଡ଼ା ଗ୍ରାମର ରାହୁଲ ପ୍ରଧାନ। ସେ ଖମାର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସରକାରୀ ହାଇସ୍କୁଲର ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପଢ଼ୁଥିଲେ। ଆଗକୁ ରକ୍ଷାବନ୍ଧନ ଛୁଟି ଥିବାରୁ ସେ ଘରକୁ ଯିବା ପାଇଁ ବସ୍‌ଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିଲେ। ସେହି ସମୟରେ ପାଳଲହଡ଼ା ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ​ଗୁରୁତର ଅବସ୍ଥାରେ ତାଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣହାନୀ ହୋଇଛି।