ମୁଖ୍ୟ ଖବର

ଜାତୀୟ ପତାକାର ସମ୍ମାନ ରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା

By Angul TV Bureau

March 01, 2026

ଅନୁଗୁଳ: ଭାରତୀୟ ଜାତୀୟ ପତାକା ଆମ ଦେଶର ଆଶା ଓ ଆକାଂକ୍ଷାର ପ୍ରତୀକ ଏବଂ ଏହାର ସମ୍ମାନ ରକ୍ଷା କରିବା ପ୍ରତ୍ୟେକ ଭାରତୀୟଙ୍କ ପବିତ୍ର କର୍ତ୍ତବ୍ୟ। ଜାତୀୟ ସମ୍ମାନ ନିୟମ ୧୯୭୧ ଏବଂ ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ-୨୦୦୨ ଅନୁଯାୟୀ ଜାତୀୟ ପତାକାର ସଠିକ୍ ବ୍ୟବହାର ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ବିଶେଷ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ା ମହାକୁମ୍ଭ ସମୟରେ ପ୍ଲାଷ୍ଟିକ୍ ପତାକା ବଦଳରେ କେବଳ କାଗଜ ତିଆରି ପତାକା ବ୍ୟବହାର କରିବାକୁ କୁହାଯାଇଛି। ଅନେକ ସମୟରେ ଲୋକେ କାଗଜ ପତାକାକୁ ବ୍ୟବହାର ପରେ ଏଣେତେଣେ ପଡିଆରେ ଫିଙ୍ଗି ଦିଅନ୍ତି, ଯାହାକି ପତାକା ପ୍ରତି ଏକ ବଡ଼ ଅସମ୍ମାନ।

ସରକାରଙ୍କ ବିନା ଅନୁମତିରେ ପତାକାକୁ ଅର୍ଦ୍ଧନମିତ ଭାବେ ଉଡାଇବା ଅନୁଚିତ୍ ଏବଂ ଏହାକୁ ପୋଷାକ ପରିଚ୍ଛଦ, ୟୁନିଫର୍ମ, ଗଦି, ରୁମାଲ କିମ୍ବା ଗାମୁଛା ଭାବେ ବ୍ୟବହାର କରାଯାଇପାରିବ ନାହିଁ। ପତାକା ଉପରେ କୌଣସି ପ୍ରକାରର ଲେଖା ଲେଖିବା କିମ୍ବା କୌଣସି ଦ୍ରବ୍ୟ ବହନ ସମୟରେ ଏହାକୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷେଧ। ସାଧାରଣତନ୍ତ୍ର ଓ ସ୍ୱାଧୀନତା ଦିବସ ସମୟରେ ପତାକା ଉଡାଇବା ପୂର୍ବରୁ କେବଳ ଏହାର ମଧ୍ୟରେ ଫୁଲ ପାଖୁଡା ରଖାଯାଇପାରିବ। ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ପ୍ରତିମୂର୍ତ୍ତିକୁ ଘୋଡାଇବା ପାଇଁ ପତାକା ବ୍ୟବହାର ନକରି ଏହାକୁ ପୃଥକ ଭାବରେ ପ୍ରଦର୍ଶିତ କରିବାକୁ ପରାମର୍ଶ ଦିଆଯାଇଛି।

ଏହା ସହିତ ଇଚ୍ଛାକୃତ ଭାବେ ପତାକାକୁ ଚଟାଣ, ଭୂମି କିମ୍ବା ଜଳରେ ସ୍ପର୍ଶ କରାଇବା ଏବଂ ଯାନବାହନ, ରେଳଗାଡି କିମ୍ବା ବିମାନରେ ପତାକା ପ୍ରଦର୍ଶନ କରିବା ମଧ୍ୟ ବେଆଇନ। ଜାତୀୟ ପତାକାକୁ ଅସମ୍ମାନ କଲେ ଆଇନ ଅନୁଯାୟୀ ଦଣ୍ଡବିଧାନର ବ୍ୟବସ୍ଥା ରହିଥିବାରୁ ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନ ଏ ସମ୍ପର୍କରେ ସଜାଗ ରହିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।