ଘଟଣା ଓ ଦୁର୍ଘଟଣା

ଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

By Angul TV Bureau

April 17, 2021

ଅନୁଗୁଳ: ଦାବି ହାସଲ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଛି। ପୁଲିସ କଣିହାଁ ଟ୍ରକ୍ ମାଲିକ ସଂଘ ସମ୍ପାଦକ ଅଲୋକ କୁମାର ସାହୁ, ଉକାଳୁ ସାହୁ, କୁମର ସାହୁ, ଗୋପବନ୍ଧୁ ପ୍ରଧାନଙ୍କ ସମେତ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ଦାବି ନେଇ ଗତ ୧୬ ମାର୍ଚ୍ଚରେ କଣିହାଁ ଟ୍ରକ୍ ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟମାନେ କଣିହାଁ ଖଣିରେ ଆନ୍ଦୋଳନ ଚଲାଇଥିଲେ। ଆନ୍ଦୋଳନ ସମୟରେ ଖାଦାନରୁ ଜେଆଇଟିପିଏଲ୍‌ କମ୍ପାନୀ ଅଭିମୁଖେ ଚଳାଚଳ କରୁଥିବା କୋଇଲା ଟ୍ରକ୍ ଗୁଡ଼ିକୁ ବାଧା ଦେବା, ବେଆଇନ୍ ଭାବରେ ୪୦ ପ୍ରତିଶତ ଲୋକାଲ୍ ସେୟାର୍ ପରିବହନ ପାଇଁ ଦାବି କରିବା ସହିତ ଧମକଚମକ ଦେବା ନେଇ ଜେଆଇଟିପିଏଲ୍‌ କମ୍ପାନୀ ମହାପ୍ରବନ୍ଧକ ପ୍ରଭାତ ବିଶ୍ଵାଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।