କଳା ଓ ସଂସ୍କୃତି

ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ଦ୍ୱାଦଶ ଅଧ୍ୟାୟ: ଐତିହ୍ୟାନୁରାଗୀ ପରିଦର୍ଶନ କଲେ ସହରର ପ୍ରାଚୀନ ମୁଚୁକୁନ୍ଦ ସୋମନାଥ ମନ୍ଦିର

By Angul TV Bureau

January 06, 2026

“ଜଗତସିଂହପୁର ଐତିହ୍ୟ ପଦଯାତ୍ରା”ର ଦ୍ୱାଦଶ ତମ ସଂସ୍କରଣ ସମ୍ପନ୍ନ ହୋଇଯାଇଅଛି। ଐତିହ୍ୟାନୁରାଗୀ ବନ୍ଧୁମାନେ ଜଗତସିଂହପୁର ସହରରେ ଥିବା ପ୍ରାଚୀନ “ମୁଚୁକୁନ୍ଦ ସୋମନାଥ ମନ୍ଦିର” ପରିଦର୍ଶନରେ କରିଥିଲେ। ଏହି ମନ୍ଦିରଟି ବହୁ ପ୍ରାଚୀନ ନ ହେଲେବି ମୋଗଲ ପରବର୍ତ୍ତୀ ମରହଟ୍ଟା ଶାସନ କାଳରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ପଥର ନିର୍ମିତ ପୀଢ଼ ଶୈଳୀର ବିମାନ ଓ ଜଗମୋହନକୁ ନେଇ ମନ୍ଦିରଟି ନିର୍ମାଣ ହୋଇଛି। ମନ୍ଦିରର ପାର୍ଶ୍ଵ ଦେବଦେବୀ ରୂପେ ପୂଜା ପାଉଥିବା ଅଗ୍ରପୂଜ୍ୟ ଶ୍ରୀଗଣେଶ, ଦେବସେନାପତି ଶ୍ରୀକାର୍ତ୍ତିକେୟ ଏବଂ ମାଆ ପାର୍ବତୀଙ୍କ ପ୍ରତିମା ବହୁତ ପ୍ରାଚୀନ। ରାସାୟନିକ ରଙ୍ଗର ବହଳ ପ୍ରଲେପ ତଳେ ଥିବା ବିଗ୍ରହଙ୍କ ରୂପ ଓ କାରୁକାର୍ଯ୍ୟକୁ ନିରେଖି ଦେଖିଲେ ଏହା ଯେ ସୋମବଂଶୀ ଶାସନ କାଳର ନିର୍ମାଣ, ଏଥିରେ କୌଣସି ଦ୍ଵିଧା ନାହିଁ। ବିଗ୍ରଙ୍କ ମଥାର କିରିଟ ମୁକୁଟ ଓ ମସ୍ତକ ପାର୍ଶ୍ୱରେ ଥିବା ଗନ୍ଧର୍ବ ବିଦ୍ୟାଧରଙ୍କ ଆକାର ଓ ସୁରୂପକୁ ଦେଖିଲେ ଅନୁମାନ ଆହୁରି ଦୃଢ଼ ମନେହୁଏ।

ଏହି ମନ୍ଦିର ପରିସରରେ ଉମାମହେଶ୍ୱରଙ୍କ ଏକ ପ୍ରାଚୀନ ବିଗ୍ରହ ରହିଛି। ଯାହାକି ସୋମବଂଶୀ ଶାସନ କାଳର ବିଗ୍ରହ। ସ୍ଥାନୀୟ ପୂଜକଙ୍କ ସହାୟତାରେ ପ୍ରତିମାର ଅନାବରଣ ସ୍ୱରୂପ ଦେଖିଲେ ଏହାର ପ୍ରାଚୀନତା ଅନୁମାନ କରିହୁଏ। କାଳର ପ୍ରବାହରେ ପ୍ରତିମାଟି ବହୁଳାଂଶରେ ଘୋରି ହୋଇ ଯାଇଛି। ସେହିପରି ଶ୍ରୀବିଷ୍ଣୁଙ୍କ ଏକ ଭଗ୍ନ ପ୍ରତିମା ମଧ୍ୟ ମନ୍ଦିର ପରିସରରେ ରହିଛି। ପବିତ୍ର ଶିବରାତ୍ରୀ, ଶଙ୍କରାନ୍ତି ଓ ମକରମେଳାରେ ଅଳକା ନଦୀ ତଟରେ ଥିବା ସୋମନାଥଙ୍କ ଏହି ପୀଠରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ସ୍ଥାନୀୟ ଅଞ୍ଚଳର ଜନଜୀବନକୁ ଆଧ୍ୟାତ୍ମିକ ଚେତନାରେ ରୁଦ୍ଧିମନ୍ତ କରାଇବାରେ ଏହି ମନ୍ଦିରର ବହୁତ ଅବଦାନ ରହିଛି।

କଥିତ ଅଛି ଯେ, ଜଗତସିଂହପୁର ଗୁରୁକୁଳ ମଠର ପ୍ରତିଷ୍ଠାତା ମୁଚୁକୁନ୍ଦ ଗୋସ୍ବାମୀ ଗୁଜୁରାଟର କମା ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଥିଲେ ଓ ବ୍ରତୋପନୟନ ଦିନ ତ୍ରିରେଖା ଅତିକ୍ରମ କରି ବ୍ରହ୍ମଚାରୀ ହୋଇଥିଲେ। ସୋମନାଥଙ୍କ ଭକ୍ତ ମୁଚୁକୁନ୍ଦ ଶ୍ରୀଜଗନ୍ନାଥଙ୍କର ମାହାତ୍ମ୍ୟ ଶୁଣି ଦର୍ଶନ ନିମିତ୍ତ ଶ୍ରୀକ୍ଷେତ୍ର ଆସିଥିଲେ। ସେ ସ୍ବପ୍ନାବିଷ୍ଟ ହୋଇ ସୋମନାଥ ମନ୍ଦିର ପଛପଟୁ ଏକ ଶିବଲିଙ୍ଗ ଲାଭ କରିଥିଲେ; ଆଉ ସେଇ ଶିବଲିଙ୍ଗଙ୍କୁ ସାଥିରେ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ। କେଜାଣି କେତେ ମାସ ବାଟରେ ବିତିଗଲା। ଶେଷରେ ସେ ଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । କଥିତ ଅଛି, ଯେ ଶ୍ରୀକ୍ଷେତ୍ରରେ ମୁଚୁକୁନ୍ଦଙ୍କ ସହିତ ସିଦ୍ଧବାଉଳି ଓ ବାରଙ୍ଗ ଗୋସାଇଁଙ୍କର ସାକ୍ଷାତ ଘଟିଥିଲା। ଏମାନଙ୍କ ଭିତରେ ଘନିଷ୍ଠତା ବଢ଼ିବାରୁ ସେମାନେ ଏକ ସ୍ଥାନରେ ରହିବା ନିମିତ୍ତ ସ୍ଥିର କଲେ ।

ନୀଳାଚଳ ଧାମରେ ଏମାନେ ଥିବା ଅବସ୍ଥାରେ ଏକଦା ଝଙ୍କଡବାସିନୀ ମାଆ ଶାରଳାଙ୍କୁ ଦର୍ଶନ କରିବାର ଇଚ୍ଛା ବ୍ୟକ୍ତ କରି ସେମାନେ ଶ୍ରୀକ୍ଷେତ୍ର ଛାଡ଼ି ଝଙ୍କଡ଼ ଅଭିମୁଖେ ଯାତ୍ରା କଲେ। ବାଟରେ ସେମାନେ ଅଳକା ନଦୀ ପାର ହେଲେ ଓ ନଈପାର ହେବାପରେ ମୁଚୁକୁନ୍ଦ ତାଙ୍କର ଶିବଲିଙ୍ଗଙ୍କୁ ଭୂସ୍ପର୍ଶ କରାଇ ଦେବାରୁ ଲିଙ୍ଗ ପାତାଳଗାମୀ ହେଲେ ଓ ସେ ସ୍ଥାନ ଆଉ ତ୍ୟାଗ କରିବେ ନାହିଁ ବୋଲି ତାଙ୍କୁ ସ୍ବପ୍ନାଦେଶ ଦେଇଥିଲେ। ତାଙ୍କର ଇଷ୍ଟ ଦେବତାଙ୍କୁ ଛାଡ଼ିକରି ପଦେମାତ୍ର ସେ ଆଗକୁ ଗଲେ ନାହିଁ ।

ମୁଚୁକୁନ୍ଦ ଗୋସାଇଁ ହରିହରପୁରରେ ଏକ ମଠ ସ୍ଥାପନ କରି ରହିଲେ ଓ ତାଙ୍କର ଇଷ୍ଟ ଦେବତା ସୋମନାଥ ଅଳକା ନଦୀ ତୀରରେ ମୁଚୁକୁନ୍ଦ ସୋମନାଥ ନାମରେ ପ୍ରତିଷ୍ଠିତ ହେଲେ । ଆଜି ସେସବୁ ସ୍ମୃତିର ସ୍ମାରକ ହୋଇ ରହିଛି, ସୋମନାଥ ହାଟସ୍ଥ ମୁଚୁକୁନ୍ଦ ସୋମନାଥ ମନ୍ଦିର। ପ୍ରତିବର୍ଷ ଏହି ସ୍ଥାନରେ ମକରବୁଡ଼ ମେଳା ଅନୁଷ୍ଠିତ ହୋଇ ଆସୁଛି।

ଅନୁଷ୍ଠାନର ଉପଦେଷ୍ଟା ପ୍ରଭାଂଶୁ ସାମନ୍ତରାୟଙ୍କ ଦିଗଦର୍ଶନରେ ଆଜିର କାର୍ଯ୍ୟକ୍ରମଟି ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା। କଟକ, ଜଗତସିଂହପୁର, ଭୁବନେଶ୍ୱର ତଥା ପୁରୀରୁ ଆସିଥିବା ପ୍ରାୟ ୨୫ ଜଣ ଐତିହ୍ୟାନୁରାଗୀ ବନ୍ଧୁ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। “ଜଗତସିଂହପୁର ଐତିହ୍ୟ ପଦଯାତ୍ରା”ର ସଂଯୋଜକ ଶ୍ରୀକାନ୍ତ ସିଂହ, ଅନୁଷ୍ଠାନର ବୟୋଜ୍ୟେଷ୍ଠ ସଦସ୍ୟ ବିଶ୍ଵ ରଞ୍ଜନ ଦେହୁରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍କଳ ମହାନ୍ତି, ବସନ୍ତ ମଞ୍ଜରୀ ଦାସ, ମଞ୍ଜୁଲତା ରାଉତ, ଭଗବାନ ଦାଶ, ଶଶାଙ୍କ ପଣ୍ଡା, ପ୍ରମୁଖ ସଦସ୍ୟ ତ୍ରିଲୋଚନ ସ୍ୱାଇଁ, ସମ୍ବିତ ସିଂହ, ଦେବାଶିଷ ପାତ୍ର, ଦିନେଶ ସ୍ୱାଇଁ, ରତିରଞ୍ଜନ ପଣ୍ଡା, ବିକାଶ ସ୍ୱାଇଁ, ରାଜେଶ ପ୍ରଧାନ, ସୌରଭ ସିଂହ ତଥା ହୃଦାନନ୍ଦ ବେହେରା ଆଦି କାର୍ଯ୍ୟକର୍ତ୍ତାମାନେ ଆଜିର କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।