ଅନୁଗୁଳ: ଗରମ କଡ଼େଇରେ ପରିଣତ ହୋଇଛି ଅନୁଗୁଳ। ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗତ ୭ ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ଆଜି ତାପମାତ୍ରା ଅଛି ୪୨ ଡିଗ୍ରୀ। ପ୍ରବଳ ଖରା ଗରମ ଯୋଗୁଁ ସକାଳ ୮ ଟା ବେଳକୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ୁଛି। ଏଣୁ ଦିନ ୧୨ ଟା ସୁଦ୍ଧା ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଅଞ୍ଚଳର ସବୁ ଦୋକାନ ବଜାର ବି ମଧ୍ୟାହ୍ନ ପୂର୍ବରୁ ବନ୍ଦ ହୋଇଯାଉଛି। ଅଂଶୁଘାତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଜନଗହଳି ସ୍ଥାନ ଓ ଛକ ମାନଙ୍କରେ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା ତିଆରି ହୋଇନାହିଁ। କେଉଁଠି ଖାଲି ମାଠିଆ ଗଡୁଛି ତ ଆଉ କେଉଁଠି ପାଣି ବଦଳାଯାଉନାହିଁ। ଫଳରେ ଶୋଷରେ ଲୋକମାନେ ଜୀବନ ବିକଳରେ ଅପରିଷ୍କାର ପାଣି ପିଉଥିବା ଦେଖାଯାଇଛି।
ବାଗଡିଆ ପଞ୍ଚାୟତ ଫାଣ୍ଡି ନିକଟରେ ନିର୍ମାଣ ହୋଇଥିବା ଜଳଛତ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ କେହି ନଥିବାରୁ ଜଳଛତ୍ର କେନ୍ଦ୍ରରେ ଗାଈ ପଶି ମାଠିଆ ଗୁଡିକୁ ଭାଙ୍ଗି ଦେଇଛି। ପଞ୍ଚାୟତର ସରପଞ୍ଚମାନଙ୍କର ଦାୟିତ୍ୱହୀନତା ଯୋଗୁ ଏମିତି ସ୍ଥିତି ଉପୁଜିଛି। ଏଣୁ ଜଳଛତ୍ର ନାଁରେ ଏମିତି ପ୍ରହସନ ନକରିନାକୁ ସ୍ଥାନୀୟ ଲୋକେ କହିବା ସହ ଲୋକଙ୍କୁ ସ୍ୱଚ୍ଛ ପାଣି ଦେବାକୁ ଦାବି କରିଛନ୍ତି। ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ତୁରନ୍ତ ଜଳଛତ୍ରକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।