ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏନଜିଓ ହସ୍ତାନ୍ତର ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ଏକ ମାସରେ ପହଞ୍ଚିଛି। ଜୁନ୍ ୧ ତାରିଖରୁ ସରକାର ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱ ଏକ ଘରୋଇ ଏନଜିଓକୁ ଦେଇଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ହୋଇଛି ଯେ, ଏନଜିଓ ଦାୟିତ୍ୱ ନେବା ପରେ ସଠିକ୍ ଭାବେ ଡାକ୍ତର ରହୁନାହାନ୍ତି ଏବଂ ଅଭିଜ୍ଞ କର୍ମଚାରୀଙ୍କ ଅଭାବରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଏକ ମାସର ବ୍ୟବଧାନ ପରେ ବୁଧବାର ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଆନ୍ଦୋଳନସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ଏନଜିଓ ଦ୍ୱାରା ଏମବିବିଏସ ଡାକ୍ତର ଯୋଗାଇ ଦିଆଯିବ ଏବଂ ଏହାକୁ ପରୀକ୍ଷାମୂଳକ ଭାବେ ୧-୨ ମାସ ଚାଲିବାକୁ ଦେବାକୁ ଉପଜିଲ୍ଲାପାଳ କହିଥିଲେ। ମାତ୍ର ଗ୍ରାମବାସୀ ଏନଜିଓ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଏବଂ ପୂର୍ବପରି ସରକାରୀ ସ୍ତରରେ ପରିଚାଳନା କରିବାକୁ ଜିଦ୍ ଧରିଛନ୍ତି। ଆଲୋଚନା ବିଫଳ ହୋଇଥିବାରୁ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ବାସିନ୍ଦା ସ୍ପଷ୍ଟ କରିଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୧୫୦୦ ଛାତ୍ରଛାତ୍ରୀ ଏବଂ ୫ ପଞ୍ଚାୟତର ପ୍ରାୟ ୭ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି।