ମୁଖ୍ୟ ଖବର

ଜମି ସୀମାକୁ ନେଇ ବିବାଦରୁ ରକ୍ତପାତ: ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମୃତ, ୨ ଗୁରୁତର

By Angul TV Bureau

March 23, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ବଡ଼ହିଂସର ଗାଁରେ ଜମି ବାଡ଼ି ବିବାଦକୁ ନେଇ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବଡ଼ହିଂସର ଗାଁର ନବିନା ସାହୁ ଓ ରଘୁନାଥ ସାହୁଙ୍କ ପରିବାର ମଧ୍ୟରେ ଜମି ସୀମାକୁ ନେଇ ଦୀର୍ଘ ଦିନରୁ ବିବାଦ ରହିଛି। ଗୁରୁବାର ସକାଳେ ନବିନା ତାଙ୍କ ଜାଗାରେ ସିମେଣ୍ଟ ଖୁଣ୍ଟ ପୋତିବାକୁ ଯାଇଥିଲେ। ଏହି ସମୟରେ ପଡ଼ୋଶୀ ରଘୁନାଥ ସାହୁ, ପୁଅ ମାନସ ସାହୁ ଓ ସ୍ତ୍ରୀ ଶ୍ରୀମତୀ ସାହୁ ସେଠାରେ ଶାବଳ, ଠେଙ୍ଗା ଓ ଟାଙ୍ଗିଆନେଇ ପହଞ୍ଚିଥିଲେ। ସୀମାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ଓ ପାଟିଗୋଳ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଠେଙ୍ଗାବାଡ଼ି ଓ ଟାଙ୍ଗିଆରେ ଧରି ମାଡ଼ପିଟ ହୋଇଥିଲେ। ରଘୁନାଥଙ୍କ ପରିବାର ପକ୍ଷରୁ ଟାଙ୍ଗିଆ ଆକ୍ରମଣରେ ନବିନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀ ଅଶାନ୍ତି ସାହୁ ଗୁରୁତର ହୋଇଛନ୍ତି।

ଅନ୍ୟପକ୍ଷରେ ନବିନା ସାହୁଙ୍କ ପରିବାର ପକ୍ଷରୁ ହୋଇଥିବା ପ୍ରତି ଆକ୍ରମଣରେ ରଘୁନାଥଙ୍କ ପୁଅ ମାନସ ସାହୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆଶାନ୍ତି ଓ ମାନସଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଜରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତକରି ତଦନ୍ତ ଆରମ୍ଭ କରିଛି। ଏ ନେଇ ନବିନାଙ୍କ ପୁଅ ଅନିଲ ଥନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରିଛି। ସେହିଭଳି ମାନସଙ୍କ ସ୍ତ୍ରୀ ତପସ୍ବିନୀ ସାହୁ ଏକ ପାଲଟା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରିଛି।